ପଶ୍ଚିମବଙ୍ଗରେ ବିକ୍ଷୋଭ, ଓଡ଼ିଶାରେ ପ୍ରଭାବ । ଆନ୍ଦୋଳନ ଯୋଗୁଁ ଅଧା ରାସ୍ତାରେ ଅଟକିଲା ୧୨ଟି ଟ୍ରେନ୍, ଜାଣନ୍ତୁ କେଉଁ କେଉଁ ଟ୍ରେନ ଅଟକିଛି ଅଧାବାଟରେ ।

626

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ, ଆଉ ଏପଟେ ଓଡିଶାରେ ପଡିଛି ତାର ପ୍ରଭାବ । ଠପ୍ ହୋଇଯାଇଛି ଟ୍ରେନ୍ ସେବା । ଆନ୍ଦୋଳନ ଯୋଗୁଁ ଅଧା ରାସ୍ତାରେ ଅଟକିଯାଇଛି ଟ୍ରେନ୍ । କିଛି ଟ୍ରେନ୍ ବାତିଲ ବି ହୋଇଯାଇଛି ।
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଓଡ଼ିଶାରୁ ହାୱାଡ଼ା ଯାଉଥିବା ଏବଂ ହାୱାଡ଼ାରୁ ଓଡ଼ିଶା ଆସୁଥିବା ୧୨ଟି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ ୪ଟି ଟ୍ରେନ୍ ଅଧାବାଟରେ ଅଟକି ରହିଛି । କଟକ ଷ୍ଟେସନରେ ଅଟକି ରହିଛି ପୁରୀ-ହାୱାଡା ଧଉଳି ଏକ୍ସପ୍ରେସ୍ ।

ହାୱାଡ଼ାରୁ ଆସୁଥିବା- ହାୱାଡ଼ା-ତିରୁପତି ହମସଫର ଏକ୍ସପ୍ରେସ୍, ହାୱାଡ଼ା-ଏର୍ଣ୍ଣକୁଲମ୍ ଅନ୍ତଦ୍ୱୟ ଏକ୍ସପ୍ରେସ୍, ହାୱାଡ଼ା-ଚେନ୍ନାଇ କରମଣ୍ଡଳର ଏକ୍ସପ୍ରେସ୍, ହାୱାଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ, ହାୱାଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍, ହାୱାଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ୍ ଏବଂ ହାୱାଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍ ବାତିଲ ହୋଇଛି । ଆଉ ଏପଟେ ଏହି ଆନ୍ଦୋଳନ ଯୋଗୁଁ ଯାଜପୁର-କେନ୍ଦୁଝର ରୋଡରେ ଅଟକି ରହିଛି ସିକନ୍ଦରାବାଦ-ହାୱାଡ଼ା ଏକ୍ସପ୍ରେସ୍ ।

ଆଉ ଏହାରି ଭିତରେ ସଂଲଗ୍ନ ଟ୍ରେନ୍ ଯୋଗୁଁ ଆଜି ପୁରୀ-ଦିଘା ଏକ୍ସପ୍ରେସ୍, କାଲି ପାଇଁ ପୁରୀ-ସଂତ୍ରାଗାଚ୍ଛି ପାସେଞ୍ଜର ଏବଂ କାଲି ପାଇଁ ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ପୁରୀରୁ ବାତିଲ ହୋଇଛି । ଏପଟେ ଭଦ୍ରକ ଷ୍ଟେସନରେ ଅଟକି ରହିଛି ଯଶୋବନ୍ତପୁର-ହାୱାଡ଼ା ଦୂରନ୍ତ ଏକ୍ସପ୍ରେସ୍ ।

ସେହିପରି ପୁରୀରୁ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ୍ ହାୱାଡ଼ା ପରିବର୍ତେ ଖଡ଼ଗପୁରରୁ ଫେରିବ ଏବଂ ଖଡ଼ଗପୁର ଓ ହାୱାଡ଼ା ମଧ୍ୟରେ ଉଭୟ ଦିଗରୁ ଟ୍ରେନ୍ ବାତିଲ ରହିବ । ଭୁବନେଶ୍ୱରରୁ ଛାଡ଼ିଥିବା ଜନଶତାବ୍ଦୀ ଏକ୍ସପ୍ରେସ୍ ହାୱାଡ଼ା ପରିବର୍ତେ ମେଚ୍ଛଦଓ ଠାରୁ ଫେରିବ । ଏହା ସହ ମେଚ୍ଛଦଓ ଏବଂ ହାୱାଡ଼ା ମଧ୍ୟରେ ଉଭୟ ଦିଗରୁ ଟ୍ରେନ୍ ବାତିଲ ରହିବ ।