କିଏ ଦେହରେ ମହୁମାଛିକୁ ଛାଡୁଛି, ତ ପୁଣି କିଏ ୧୪ ଫୁଟର ନିଶ ରଖିଛି? ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଥିବା କିଛି ଅଜବ ରେକର୍ଡ । ଜାଣନ୍ତୁ ଏହି ରେକର୍ଡ ବୁକରେ କେଉଁ ଭାରତୀୟ ଅଛନ୍ତି ସାମିଲ?

232

କନକ ବ୍ୟୁରୋ : ରେକର୍ଡ ବୁକରେ ସାମିଲ ହେବା ପାଇଁ କିଏ ବା ନ ଚାହେଁ । ଦୁନିଆର ଏମିତି ଅନେକ ମଣିଷ ଅଛନ୍ତି ଯେଉଁମାନେ ରେକର୍ଡ ହାସଲ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ପୂରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାକୁ ଅହରହ ଉଦ୍ୟମ କରିଥାନ୍ତି । କିଏ ନିଜର ପ୍ରତିଭା ବଳରେ ବିଶ୍ୱ ରେକର୍ଡ କରିଥାଏ ତ ପୁଣି କିଏ କିଛି ଭିନ୍ନ ଅନ୍ଦାଜ ପାଇଁ ଏହି ତାଲିକାରେ ନିଜ ନାଁ ଯୋଡିଥାଏ । ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ଏଭଳି ଅନେକ ରେକର୍ଡଧାରୀ ରହିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଲୋକପ୍ରିୟ ଓ ଜଣାଶୁଣା ରେକର୍ଡଧାରୀ ରହିଛନ୍ତି ଯେଉଁମାନେ କିଛି ଭିନ୍ନ ଅନ୍ଦାଜ ପାଇଁ ବିଶ୍ୱରେ ପରିଚୟ ହାସଲ କରିଛନ୍ତି । ସେହିଭଳି ଜଣେ ରେକର୍ଡଧାରୀ ହେଉଛନ୍ତି ଭାରତର ନୀଲାଂଶୀ ପଟେଲ । ଗୁଜୁରାଟର ନିଲାଂଶି ୨୦୧୯ରେ ଟିନଏଜ କାଟାଗୋରୀରେ ଲମ୍ବା କେଶ ରଖି ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ୧୯୦ ସେଣ୍ଟିମିଟର ଲମ୍ବର କେଶ ରଖି ନିଲାଂଶି ଏଭଳି କୀର୍ତ୍ତିମାନ ହାସଲ କରିଛନ୍ତି ।

ସାଧାରଣତଃ ଆମେ ଦେଖୁଥିବା ପିଆଜ ଅତି ବେଶିରେ କେତେ ଗ୍ରାମ ହୋଇପାରେ? ୧୦୦ ଗ୍ରାମରୁ ଅଧିକ ଓଜନର ପିଆଜ ହୁଏତ ଆପଣ କେବେ ଦେଖିନଥିବେ । କିନ୍ତୁ ଇଂଲଣ୍ଡର ପିଟର ଗ୍ଲେଜବ୍ରୁକ୍ ଦୁନିଆର ସବୁଠୁ ବଡ ପିଆଜର ମାଲିକ ହେବା ସହ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଛନ୍ତି । ପିଟର ଉତ୍ପାଦନ କରିଥିବା ପିଆଜର ଓଜନ ୮ କେଜିରୁ ମଧ୍ୟ ଅଧିକ ରହିଛି । ଅନ୍ୟ ଜଣେ ଭାରତୀୟ ରାମ ସିଂ ଚୌହ୍ୱାନ ମଧ୍ୟ ନିଜର ଭିନ୍ନ ଏକ ସୌକ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ରାମ ସିଂ ନିଜର ଲମ୍ବା ନିଶ ପାଇଁ ଏହି ରେକର୍ଡ ହାସଲ କରିଛନ୍ତି । ୧୪ ଫୁଟରୁ ଅଧିକ ଲମ୍ବର ନିଶ ରଖିଥିବା ରାମ ସିଂ ଦୀର୍ଘ ୩୯ ବର୍ଷ ହେବ ନିଜର ନିଶ କାଟି ନାହାଁନ୍ତି ।

ରଷିଆର ୪୯ ବର୍ଷୀୟ ମହିଳା ସ୍ୱେଲାନା ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ମହିଳା ଭାବେ ରେକର୍ଡ କରିଛନ୍ତି । ୫୧.୯ ଇଞ୍ଚର ଲମ୍ବା ଗୋଡ ଥିବା ସ୍ୱେଲାନା ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଛନ୍ତି । ସେହିଭଳି ଲମ୍ବା ନଖ ରଖି କ୍ରିସ ବୋଲଟନ ଏହି ରେକର୍ଡ ତାଲିକାରେ ନିଜର ନାଁ ଯୋଡିଛନ୍ତି । କ୍ରିସଙ୍କର ବାମ ହାତର ନଖ ୧୦ ଫୁଟ ୨ ଇଞ୍ଚ ଲମ୍ବର ହୋଇଥିବା ବେଳେ ଡାହାଣ ହାତ ନଖର ଲମ୍ବ ୯ ଫୁଟ୍ ୭ ଇଞ୍ଚ ରହିଛି । ଦୀର୍ଘ ୧୮ ବର୍ଷ ଧରି କ୍ରିସ ନଖ ବଢାଇ ଆସୁଛନ୍ତି ।

ଚୀନର ସି ପିଙ୍ଗ ମଧ୍ୟ ନିଜର ଭିନ୍ନ ଅନ୍ଦାଜ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବୁକରେ ସାମିଲ ହୋଇଛନ୍ତି । ସି ପିଙ୍ଗ ନିଜ ଶରୀରରେ ୩ ଲକ୍ଷରୁ ଅଧିକ ମହୁମାଛି ରଖି ଏକ ନିଆରା ରେକର୍ଡ ହାସଲ କରିଛନ୍ତି । ସି ପିଙ୍ଗଙ୍କ ଶରୀରରେ ଛଡାଯାଇଥିବା ମହୁମାଛିଙ୍କର ଓଜନ ପ୍ରାୟ ୩୩ କିଲୋଗ୍ରାମ ରହିଥିଲା । ଏତେ ସଂଖ୍ୟକ ମହୁମାଛିଙ୍କ ଦେହରେ ବସିଥିଲେ ମଧ୍ୟ ଭୟଭୀତ ହୋଇନଥିଲେ ସି ପିଙ୍ଗ । ଏସବୁ ଭିତରେ ଚଳିତ ଦୀପାବଳିରେ ଅଯୋଧ୍ୟାର ଦୀପତ୍ସୋବ ସମାରୋହ ମଧ୍ୟ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ଏହି ଉତ୍ସବରେ ଅଯୋଧ୍ୟାରେ ଏକକାଳୀନ ପାଖାପାଖି ସାଢେ ୫ ଲକ୍ଷ ଦୀପ ଜଳିବା ସହ ରେକର୍ଡ ବୁକରେ ସାମିଲ ହୋଇଥିଲା ।