ମୋଦିଙ୍କୁ ୧୨ ଦଳର ନେତା ଲେଖିଲେ ଚିଠି । ମାଗଣାରେ ଟିକାକରଣ ସହ ଦେଲେ ୯ଟି ପରାମର୍ଶ ।

259

କନକ ବ୍ୟୁରୋ : କରୋନାରେ ସାରା ଦେଶ ସମସ୍ୟା ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ୧୨ଟି ଦଳର ନେତା । ଚିଠିରେ ବିରୋଧୀ ଦଳର ନେତାମାନେ ନରେନ୍ଦ୍ର ମୋଦିଙ୍କୁ ୯ଟି ପରାମର୍ଶ ଦେଇଛନ୍ତି । ସାରା ଦେଶରେ ଚାଲିଥିବା ଟିକାକରଣକୁ ମାଗଣା କରିବା ପାଇଁ ଚିଠିରେ ଦାବି କରିଛନ୍ତି । ସେହିପରି ଟିକା ଉତ୍ପାଦନକୁ ବଢାଇବା ପାଇଁ ଟିକା ଲାଇସେନ୍ସ ହଟାଇବାକୁ ପରାମର୍ଶ ଦିଆଯାଇଛି ।

ଏହାଛଡା ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟିତ କରିବାକୁ ଚିଠିରେ ଲେଖାଯାଇଛି । ଘରୋଇ ସ୍ତରରେ ଟିକା ଉତ୍ପାଦନ ବଢାଇବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଚିଠିରେ ବିରୋଧ ଦଳ ନେତା ଲେଖିଛନ୍ତି, କେନ୍ଦ୍ର ସରକାର ନିର୍ମାଣ କରୁଥିବା ସେଂଟ୍ରାଲ ଭିଷ୍ଟାର ନିର୍ମାଣ କାମକୁ ବନ୍ଦ କରାଯାଉ । ଏବଂ ଏଥିରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ୍ ବେକାରୀ ଯୁବକ-ଯୁବତୀଙ୍କୁ ୬ ହଜାର ଟଙ୍କା ପ୍ରତି ମାସକୁ ଦେବାକୁ ଦାବି କରିଛନ୍ତି । ସେହିଭଳି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଏହି ଚିଠିରେ ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ଏମକେ ଷ୍ଟାଲିନ, ମମତା ବାନାର୍ଜୀଙ୍କ ହସ୍ତାକ୍ଷର ଥିବା ଜଣାପଡିଛି ।