ମୂର୍ତ୍ତି ଉଚ୍ଚତା ବଢାଇବା ଦାବି : ବିଜେପିର ଆଜି ୧୨ ଘଣ୍ଟିଆ ବନ୍ଦ କଟକ ଡାକରା
ଏସଆରସିଙ୍କୁ ଚିଠି ଲେଖିଲେ ଅନୁଭବ, ମୂର୍ତ୍ତି ଉଚ୍ଚତାକୁ ନେଇ ବିଜେଡ଼ି ବନାମ ବିଜେଡ଼ି; ଭର୍ତୃହରିଙ୍କୁ କାଉଂଟର କଲେ ଦେବାଶିଷ ସାମନ୍ତରାୟ
କନକ ବ୍ୟୁରୋ : ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ କଟକ କମିସନରେଟ୍ରେ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି । କମିସନରେଟ୍(କଟକ)କୁ ଦୁଇଟି ଜୋନ୍ରେ ଭାଗ କରାଯାଇ ସହର ଭିତର ଓ ବାହାରେ ଜଣେ ଲେଖାଏଁ ଏଡିସିପିଙ୍କୁ ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଟକ ଶାନ୍ତି କମିଟି ଓ ଅନ୍ୟ ନେତୃବୃନ୍ଦଙ୍କୁ ସରକାର ଭୁବନେଶ୍ବରକୁ ଡାକି ଆଲୋଚନା କରିବା ଓ ଆଲୋଚନାରୁ ସବୁଜ ସଂକେତ ମିଳିବାପରେ ମୂର୍ତ୍ତି ଉଚ୍ଚତା ବଢ଼ିବ ବୋଲି ସମସ୍ତେ ଆପାତତଃ ଧରି ନେଇଥିଲେ । ତେବେ, ମୂର୍ତ୍ତି ଉଚ୍ଚତା ଗତବର୍ଷ ଭଳି ୪ଫୁଟ୍ରେ ସୀମିତ ରହିବ ବୋଲି ଏସ୍ଆର୍ସି ଘୋଷଣା କରିବା ପରେ ଏହାକୁ ନେଇ କଟକରେ ଅସନ୍ତୋଷ ବଢ଼ିଥିଲା । ଗତକାଲି ଶାନ୍ତି କମିଟି ବୈଠକରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପ୍ରସଂଗରେ ସହମତି ପରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବାକୁ ଗୋଟିଏ ପଟେ ନିଷ୍ପତ୍ତି ହୋଇଥିବା ବେଳେ ଆଜି କଟକ ନଗର ବିଜେପି କଟକ ସହର ବନ୍ଦ ଡାକରା ଦେଇଛି । ଏହାକୁ ଦୃଷ୍ଟିରୁ ରଖି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ୧୨ ପ୍ଲାଟୁନ୍ ଫୋର୍ସ ବାଦ ଏସିପି ଓ ଆଇଆଇସିଙ୍କୁ ମିଶାଇ ସହରରେ ୪୦ ଜଣ ଅଫିସର ନିୟୋଜିତ ହେବେ। ସହର ଭିତରେ କଲେଜ ଛକ, ଦୋଳମୁଣ୍ଡାଇ, ଓଏମ୍ପି ଛକ, ଖାନନଗର, ଜିଲ୍ଲାପାଳ ଅଫିସ ସାମନା, ସିଏମ୍ସି ଅଫିସ ସାମନା, ବକ୍ସିବଜାର, ଚଣ୍ଡୀଛକ, ବାଦାମବାଡ଼ି, ଆକାଶବାଣୀ ଭବନ ସାମ୍ନା ଇତ୍ୟାଦି ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ବିବେଚନା କରାଯାଉଛି । ଏହି ସ୍ଥାନରେ ପୁଲିସ ପକ୍ଷରୁ ଅସ୍ଥାୟୀ ଚେକ୍ ପୋଷ୍ଟ୍ ଖୋଲାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ୨୦ଟି ଚାରିଚକିଆ ଓ ୨୦ଟି ଦୁଇଚକିଆ ବାଇକ୍ ନିୟୋଜିତ କରାଯାଇଛି। ଏଡିସିପି ଅନୀଲ ମିଶ୍ର ଓ ପ୍ରମୋଦ ରଥଙ୍କୁ କଟକ ସହର ଭିତର ଓ ସହର ବାହାରର ଆଇନଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ଦିଆଯାଇଛି ।
ଫୁଲନଖରା, ବାରଙ୍ଗ, ଚୌଦ୍ବାର, ତ୍ରିଶୂଳିଆ, ଜଗତପୁର ଇତ୍ୟାଦି ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଉକ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖାଯିବ । ବାରବାଟୀ ଷ୍ଟାଡିୟମର ୫ ନମ୍ବର ଗ୍ୟାଲେରିରେ ପୁଲିସ ପକ୍ଷରୁ ଡିଟେକ୍ସନ କ୍ୟାମ୍ପ୍ କରାଯିବ। ଯେଉଁମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ସେମାନଙ୍କୁ ଏଠାରେ ଅଟକ ରଖାଯିବ । ମୋଟ ୪ଟି ବସ୍ ସେମାନଙ୍କୁ ଘଟଣା ସ୍ଥଳରୁ ନେବାରେ ନିୟୋଜିତ କରାଯିବ । ଡିଟେକ୍ସନ୍ କ୍ୟାମ୍ପରେ ଗୋଟିଏ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ। ସ୍ପେସାଲ ସ୍କ୍ବାଡ୍ ପକ୍ଷରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ସାଦା ପୋଷାକରେ ପୁଲିସ ଫୋର୍ସ ମୁତୟନ କରାଯିବ । ଏମାନେ ଭିଡ଼ ଅଞ୍ଚଳରୁ ଆନ୍ଦୋଳନ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ ।