ଜଙ୍ଗଲରେ ୧୨ ଘଣ୍ଟା ବନ୍ଧକ ରଖିଲେ ପ୍ରତିଦ୍ୱନ୍ଦ୍ୱୀ! ସମବାୟ ନିର୍ବାଚନରେ ଲଢ଼ିବା ପଡିଲା ମହଙ୍ଗା ।

147

କନକ ବ୍ୟୁରୋ: ଜଙ୍ଗଲରେ ୧୨ ଘଣ୍ଟା ବନ୍ଧକ ରଖିଲେ ପ୍ରତିଦ୍ୱନ୍ଦ୍ୱୀ । ସମବାୟ ନିର୍ବାଚନରେ ଲଢ଼ିବା ପଡିଲା ମହଙ୍ଗା । ମାଲକାନଗିରିରୁ ଆସିଛି ଏମିତି ଏକ ଅଭିଯୋଗ । କୋରାପୁଟ ସମବାୟ ବ୍ୟାଙ୍କର ୮ ନଂ ଜୋନରେ ନିର୍ଦ୍ଦେଶକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ମାଲକାନଗିରି ନାୟଗୁଡା ଗାଁର ହଳଦଧର କୋପେ । ବିଜେପି ସମର୍ଥନରେ ସେ ଗତ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ, ଏହି ନାମାଙ୍କନ ଦାଖଲ ତାଙ୍କ ପାଇଁ ବିପଦକୁ ଡାକି ଆଣିଥିଲା । ମତଦାନ ପାଇଁ ମାଲକାନଗିରି ଯିବା ସମୟରେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଅପହରଣ କରିନେଇଥିଲେ । ଆଉ ଘଞ୍ଚ ଜଙ୍ଗଲ ଭିତରେ ୧୨ଘଣ୍ଟା ବନ୍ଧକ ରଖିବା ପରେ ତାଙ୍କୁ ନିସ୍ତୁକ ମାଡ ମାରି, ଲଣ୍ଡା କରି ଛାଡି ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ୩ଜଣଙ୍କ ବିରୋଧରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ହଳଧର ।

ହଳଧରଙ୍କ ଅଭିଯୋଗ ଅନୁସାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ତାଙ୍କ ଉପରେ ଶାସକ ଦଳର ଜଣେ ବରିଷ୍ଠ ନେତା ଓ ତାଙ୍କ ସମର୍ଥକ ଚାପ ପକାଇଥିଲେ । କିନ୍ତୁ ସେ ସେମାନଙ୍କ କଥାରେ ରାଜି ନହେବାରୁ ଯୋଜନାବଦ୍ଧ ଭାବେ ଏଭଳି କରିଛନ୍ତି । ତେଣୁ ଦୁବୃର୍ତଙ୍କୁ ତୁରନ୍ତ ଗିରଫ ପାଇଁ ହଳଧର ଦାବି କରିଛନ୍ତିି । ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ମାଲକାନଗିରି ଥାନା ପୋଲିସ ।

ସମବାୟ ବ୍ୟାଙ୍କ ନିର୍ବାଚନରେ ରାଜନୈତିକ ଛକାପଂଝା ହୁଏ । ହେଲେ, ସାଧାରଣ ନିର୍ବାଚନ ଭଳି ହିଂସା ଏବଂ କାହାକୁ ଅପହରଣ କରି ଏମିତି ନିର୍ଯାତନା ଦେବା ପ୍ରାୟତଃ କେବେ ସାମନାକୁ ଆସିନଥାଏ । କିନ୍ତୁ ମାଲକାନଗିରିରୁ ଆସିଥିବା ଏହି ଅଭିଯୋଗ ରାଜ୍ୟରେ ଚାଲିଥିବା ସମବାୟ ନିର୍ବାନର ଅନେକ ଦିଗକୁ ଇଙ୍ଗିତ କରୁଛି । ଯାହା ସତ ହୋଇଥିଲେ ସାଂଘାତିକ ।