ଚାଷୀ ସଂଗଠନର ଭାରତ ବନ୍ଦ : ମାଷ୍ଟର କ୍ୟାଂଟିନରେ ବାମଦଳର ପିକେଟିଂ; ଗାଡି ଚଳାଚଳ ଜୀବନଯାତ୍ରା ସ୍ୱାଭାବିକ

202

କନକ ବ୍ୟୁରୋ : ଚାଷୀ ସଂଗଠନ ଦେଇଥିବା ବନ୍ଦର ଆଂଶିକ ପ୍ରଭାବ । ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ ।

ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । କୃଷକ ସଂଗଠନର ଏହି ବନ୍ଦକୁ ସମର୍ଥନ କରିଛନ୍ତି ବାମପନ୍ଥି ଓ କଂଗ୍ରେସ । ଅନ୍ୟପଟେ ରାଜଧାନୀରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା ହୋଇଛି ।

ସେହିପରି ବାଲେଶ୍ୱରରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ । କୃଷକ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ବାଲେଶ୍ୱରରେ ରେଳ ରୋକ । କୃଷକ ସଂଗଠନର କର୍ମୀମାନେ ଷ୍ଟେସନରେ ରେଳଧାରଣାରେ ଚଢ଼ି ରେଳରୋକ କରିଛନ୍ତି । ସେହିପରି ଗାଡି ମୋଟର ମଧ୍ୟ ବନ୍ଦ କରିଛନ୍ତି । ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ଦୋକାନବଜାର ବନ୍ଦ କରିଛନ୍ତି ।

ଅନ୍ୟ ପକ୍ଷରେ ଗୁଣୁପୁରରେ ଭାରତ ବନ୍ଦର ପ୍ରଭାବ । କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଗୁଣୁପୁରରେ ଦେଖିବାକୁ ମିଳିଛି । କୃଷକ ସଂଗଠନର ଏହି ଡାକରାକୁ ସମର୍ଥନ ଏଆଇକେଏମ ଓ ଏଆଇକେଏମଏସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।