କନକ ବ୍ୟୁରୋ: ଭଦ୍ରକ ବରପଦା ଇଂଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗ, ବରପଦା ବିକାଶ ମଂଚ ପକ୍ଷରୁ ବନ୍ଦ ପାଳନ । ସକାଳ ୬ରୁ ସଂଧ୍ୟା ୬ ଯାଏ ବନ୍ଦ ପାଳନ ହେଉଛି । ବନ୍ଦକୁ ସମର୍ଥନ କରି ବରପଦା ଛକରେ ଥିବା ଦୋକାନ ବଜାର ବନ୍ଦ ରହିଛି । ଫଳରେ ପ୍ରଭାବିତ ହୋଇଛି ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଓ ଭଦ୍ରକ- ଆଗରପଡା ଗାଡି ଚଳାଚଳ ।

ଏହି ଅନିୟମିତତାରେ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରର ସଂପୃକ୍ତି ଥିବା ସ୍ଥାନୀୟ ଲୋକେ କହିଛନ୍ତି । କଲେଜରେ ପରିଚାଳନା ଦାୟିତ୍ୱରୁ ବିଧାୟକଙ୍କ ପରିବାରକୁ ହଟାଯାଉ । ନଚେତ ସରକାର କଲେଜକୁ ନିଜ ହାତକୁ ନିଅନ୍ତୁ ବୋଲି ଦାବି କରିଛି ବିକାଶ ମଂଚ । ନିକଟରେ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଚଢାଉ କରିଥିଲା । ଅନିୟମିତତା ଅଭିଯୋଗ ପୁରୁଣା । ହେଲେ ଜିଲ୍ଲା ପ୍ରଶାସନ ନିରବ ରହିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବରପଦା ବିକାଶ ମଂଚ । ଏପରିକି ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରୁଥିଲେ ସେମାନଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ଆସି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ଦାବି ହୋଇଛି । ଯଦି ଦାବି ଅନୁଯାୟୀ ସମସ୍ୟାର ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କୁହାଯାଇଛି ।