୬ ଦଫା ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ । ଶିକ୍ଷା, ନିଯୁକ୍ତି, ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ରାସ୍ତା ଅବରୋଧ ।

109

କନକ ବ୍ୟୁରୋ: ଆଜି ୧୨ ଘଂଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଛି ।

ଜମି ଅଧିଗ୍ରହଣରେ ବିଳମ୍ବ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ଭିତିକ ନିଯୁକ୍ତି ଦାବି, ନବରଙ୍ଗପୁର ଓ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିଛି ଦଳବ । ଏହା ସହ ଉମରକୋଟରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟରେ ଇଥାନଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ମେଡିକାଲରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ସହ ଉମରକୋଟକୁ ସବଡିଭିଜନ୍ ଦାବି ନେଇ ବନ୍ଦ ପାଳନ କରାଯାଉଛି । ତୁରନ୍ତ ଦାବି ପୂରଣ ନହେଲେ ଭବିଷ୍ୟତରେ ସଚିବାଳୟ ଆଗରେ ପ୍ରତିବାଦ ସହ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।