କନକ ବ୍ୟୁରୋ: ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ୧୨ ଫୁଟର ଅହିରାଜ ସାପ । ମାଲକାନାଗିରି ଏମପିଭି-୨୩ ସ୍ଥିତ ଏକ ଢାବା ନିକଟରେ ଏକ ଗଛ ଉପରକୁ ସାପଟି ଚଢି ଯାଇଥିବା ବେଳେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ନାକେଦମ୍ ହୋଇଥିଲେ ।
ସୁଚନା ଅନୁସାରେ, ସାପଟି ୩୨୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ସେଇ ବାଟ ଦେଇ ଏକ କାର ଯାଉଥିଲା । କାର ଶଦ୍ଧ ଶୁଣି ସାପଟି ଏକ ଗଛ ଉପରକୁ ଚଢିଯାଇଥିଲା । ତେବେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଗଛ ଉପରକୁ ପାଣି ମାଡ଼ କରିଥିଲେ । ତଥାପି ସାପଟି ଗଛରୁ ଓହ୍ଲାଇ ନଥିଲା । ଶେଷରେ ଗଛଟିକୁ କାଟି ସାପକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲପ୍ ଲାଇନ୍ ।
ତେବେ ୧୨ ଫୁଟ ଲମ୍ବର ଅହିରାଜ ସାପଟିକୁ ଦେଖିବା ପାଇଁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କୁ ଭିଡ଼ ଜମି ରହିଥିଲା । ଏପରିକି ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପଡ଼ିଥିଲା । ସାପଟିକୁ ଉଦ୍ଧାର କରି ପ୍ରଥମେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ଏମଭି-୧୨୬ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।