ମରିଯାଉଛି ମଣିଷପଣିଆ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରରେ ଗୋଡ ମୁହଁ ବନ୍ଧା ଅବସ୍ଥାରେ ପଡି ରହିଥିଲେ ୧୨ କୁକୁର

446

କନକ ବ୍ୟୁରୋ: ଜୀବେ ଦୟା, ଆମ ସଂସ୍କୃତିର ଅନ୍ୟତମ ପରିଚୟ । ହେଲେ ମଣିଷ କେମିତି ମାନବିକତା ହରାଇ ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁର ହୋଇଯାଉଛି ତାର ଅନେକ ନଜିର ରହିଛି । କିନ୍ତୁ ଆଜି ଆମେ ଯେଉଁ ଖବର ଆପଣଙ୍କୁ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ, ଆପଣ ବି ଅନୁଭବ କରିବେ ମଣିଷପଣିଆ କେମିତି କୁକୁର ଗୋଡରେ ବନ୍ଧା ପଡିଛି । ଘଟଣା ଘଟିଛି ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ । ୟୁନିଭର୍ସିଟିର ଛାତ୍ରୀ ନିବାସରୁ ଅନେକ କୁକୁରଙ୍କୁ ମୁହଁ ଓ ଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏ କୁକୁରଗୁଡିକର ଦୋଷ ଏତିକି ଥିଲା ଯେ ସେମାନେ ଖାଦ୍ୟ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଇତଃସ୍ତତଃ ହୋଇ ବୁଲୁଥିଲେ ଏବଂ ଭୁକି ଭୁକି ମଣିଷର କୁଆଡେ ଶାନ୍ତି ଭଙ୍ଗ କରୁଥିଲେ ।

ତେଣୁ ନିର୍ଦ୍ଦୟୀ ମଣିଷ ଏମାନଙ୍କ ଚାରି ଗୋଡ ଓ ମୁହଁକୁ ବାନ୍ଧି ଗୋଟିଏ ଘର ଭିତରେ ପକେଇ ରଖିଥିଲା । ଏପରିକି ଏମାନଙ୍କୁ ଖାଦ୍ୟରେ ବିଷ ଦେଇ ମାରିବା ପାଇଁ ମଧ୍ୟ ଯୋଜନା ହୋଇଥିଲା । କିଛି ଛାତ୍ରୀ ଏସମ୍ପର୍କରେ ସୂଚନା ଦେବାପରେ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଓ ପୁଲିସ ପହଂଚି କୁକୁର ଗୁଡିକୁ ଉଦ୍ଧାର କରିଛନ୍ତି । ଏପଟେ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ନିଜ ସଫେଇରେ କହିଛନ୍ତି କୁକୁର ଗୁଡିକ ଛାତ୍ରୀମାନଙ୍କୁ କାମୁଡିବାର ଭୟ ଥିଲା ତେଣୁ ବ୍ରହ୍ମପୁର ମହାନଗର ନିଗମ ଓ ବିଶ୍ୱବିଦ୍ୟାଳୟ କର୍ମଚାରୀ କୁକୁରକୁ ଅନ୍ୟତ୍ର ନେବାକୁ ବାନ୍ଧି ରଖିଥିଲେ ।