ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଗୁରୁତର । ଗୋଟିଏ ପରିବାରର ଚାଲିଗଲା ୪ ଜୀବନ ।

220

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବାରବାଙ୍କିର ରାମନଗର ଥାନା ଅନ୍ତର୍ଗତ ଅଂଚଳରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିରେ କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ରାତି ୯ଟାରେ ମୃତ୍ୟୁର ଏହି ତାଣ୍ଡବଲୀଳା ଆରମ୍ଭ ହୋଇଯାଇଥିଲା । ୨୦ରୁ ଉର୍ଧ୍ଵ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ୧୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ପୁଲିସ୍ ଡାକ୍ତରଖାନାରେ ପହଂଚି ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ଅବକାରୀ ବିଭାଗର ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଏକ ଦେଶୀ ମଦ ଦୋକାନରୁ କିଛି ଲୋକ ବିଷାକ୍ତ ମଦ ପିଇଥିଲେ । ଯାହାଫଳରେ ଧୀରେ ଧୀରେ ଲୋକଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଏହାପରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବାର ଜଣାପଡିଛି । ଦୁଃଖଦ ଘଟଣା ହେଉଛି ଏହି ମଦ ମାଦକ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ ନେଇଯାଇଛି । ରାଣୀଗଞ୍ଜର ଜଣଙ୍କର ପରିବାରର ୪ ଜଣ ପୁଅଙ୍କର ମୃତ୍ୟୁ ହୋଇଯାଇଛି ।