କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷା ହୋଇଥିବାବେଳେ ବଜ୍ରପାତରେ ମୋଟ ୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କୁଆପଥର ମାଡ଼ ସାଙ୍ଗକୁ ପ୍ରବଳ ବର୍ଷା ଅନୁଭୂତ ହୋଇଥିବାବେଳେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଆହତ ହୋଇଛନ୍ତି। ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ହାତୀଗୁଡ଼ା ଗ୍ରାମରେ ବଜ୍ରାଘାତରେ ଶତ୍ରୁଘ୍ନ ପୋଲାଇଙ୍କ ଝିଅ ଟିକି ପୋଲାଇ (୧୮) ଆଜି ସକାଳୁ ମୁଗ ତୋଳିବା ପାଇଁ ବାପାମା’ଙ୍କ ସହ ବିଲକୁ ଯାଇଥିଲେ। ସେଠାରୁ ଅପରାହ୍ଣ ପ୍ରାୟ ଗୋଟାଏରେ ଘରକୁ ଫେରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ହେବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ସେହିପରି ବ୍ରାହ୍ମଣପଦର ଗ୍ରାମର ନୟନୀ ନାୟକ (୫୫) ଖଜୁରୀ ଡାଳ ଆଣିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ବଜ୍ରାଘାତରେ ତାଙ୍କ ମୃତ୍ୟୁ ହୋଇଥିଲା। ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅର୍ନ୍ତଗତ ଲକ୍ଷ୍ମୀପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ରାମ ଦାସ(୫୫) ମଇଁଷି ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲେ।
ସେହିପରି ନବରଙ୍ଗପୁର ଜିଲ୍ଲାରେ ବଜ୍ରପାତ ଯୋଗୁଁ ୩ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ର ଜଣେ ଯୁବକ ଏବଂ ତାଙ୍କର ୯ମାସର ଶିଶୁକନ୍ୟା ରହିଛନ୍ତି। ସେହିପରି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୂର୍ତ୍ତାହାଣ୍ଡି ପଞ୍ଚାୟତ ଜିରାଗାଁର ରାମଚନ୍ଦ୍ର ମାଝୀ (୩୦) ଭୋଜନ ପରେ ୯ମାସର ଶିଶୁକନ୍ୟାକୁ ନେଇ ଘର ବାରଣ୍ଡାରେ ବସିଥିବାବେଳେ ହଠାତ୍ ବର୍ଷା ମାଡ଼ି ଆସିଥିଲା। ତେବେ ବାରଣ୍ଡାରୁ ଉଠି ଘରକୁ ଯିବା ବେଳକୁ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ରାମଚନ୍ଦ୍ର ଏବଂ କୋଳରେ ଥିବା ୯ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ସେହିପରି ପାପଡ଼ାହାଣ୍ଡି ବ୍ଲକ କଣ୍ଟାଗାଁ ପଞ୍ଚାୟତ ବଟକାରି ଗାଁରେ ନାବାଳକ ବିଦ୍ୟାଧର ଗୌଡ଼ ଗାଈଗୋରୁଙ୍କୁ ଚରାଇବାକୁ ଯାଇଥିଲା। ଘରକୁ ଫେରିବା ସମୟରେ ରାସ୍ତାରେ ଥିବା କାଜୁବାଡ଼ ନିକଟରେ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଅପର ପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ଧାରୁଆଡିହିରେ ବଜ୍ରପାତ ଘଟି ଦୁଇଜଣ କେନ୍ଦୁପତ୍ର ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁପତ୍ର ବନ ବିଭାଗ ପକ୍ଷରୁ ଧରୁଆଡିହି ଜଙ୍ଗଲରେ କେନ୍ଦୁପତ୍ର ବୁଦା କଟା ଚାଲିଥିଲା। ଅପରାହ୍ଣ ପ୍ରାୟ ୪ଟା ବେଳେ ହଠାତ୍ ଝଡ଼ବର୍ଷା ମାଡ଼ି ଆସିଥିଲା। ୩ ଶ୍ରମିକ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛମୂଳକୁ ଚାଲି ଯାଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ବଜ୍ରପାତ ହେବାରୁ ଧରୁଆଡିହି ଥାନା ଘଣ୍ଟବୁଡ଼ର ବାବୁଲାଲ କିଷାନ(୫୦) ଓ ମଙ୍ଗଳୁ କିଷାନ (୪୫)ଙ୍କ ମୃତ୍ୟୁ ଘଟିଥିଲା ଏବଂ ରଘୁନନ୍ଦନ କିଷାନ (୨୩) ଆହତ ହୋଇଥିଲେ। ଏହାଛଡ଼ା କୁଆରମୁଣ୍ଡା ନିକଟସ୍ଥ ଚାନ୍ଦିପୋଷଠାରେ ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ଘଟିଛି।
ଅନୁରୂପ ଭାବେ ବଜ୍ରାଘାତରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସରଗୁଲ ଗାଁର ଯୁଗେ ପରାଭୋଇ(୩୨ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁଗେ ଘର ତିଆରି ପାଇଁ ତାଙ୍କ ଚାଷଜମିରେ ଇଟା ଗଢ଼ୁଥିଲେ। ଇଟାଗୁଡ଼ିକୁ ବର୍ଷା ପାଣିରୁ ରକ୍ଷା କରିବା ପାଇଁ ସେ ପଲିଥିନ ଢାଙ୍କୁଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ଏବଂ ସେ ଘଟଣାସ୍ଥଳରେ ହି ଟଳି ପଡ଼ିଥିଲେ। ସେହିପରି ମଧ୍ୟାହ୍ନର ବଜ୍ରାଘାତରେ ଜଗତ୍ସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଅପଣ୍ଡରା ଗ୍ରାମର ମୂରଲୀଧର ନାୟକଙ୍କ ପୁଅ ବାପି ନାୟକ(୪୦)ଙ୍କ ମୃତ୍ୟୁ ଘଟିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/LIGHTING.jpg)