ବୁଲଗେରିଆରେ ଜଳିଗଲା ବସ୍: ୪୬ ଜୀବନ୍ତ ଦଗ୍ଧ, ମୃତକଙ୍କ ମଧ୍ୟରେ ୧୨ ଶିଶୁ

138

କନକ ବ୍ୟୁରୋ: ବୁଲଗେରିଆ ରାଜଧାନୀ ସୋଫିଆରେ ମାସେଡୋନିଆର ଏକ ବସ୍ରେ ନିଆଁ ଲାଗିଯିବାରୁ ୪୬ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା ଜଣାପଡିଛି । ଏହି ଭୟାକ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୭ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କାରଣ ଏଯାଏଁ ଜଣାପଡିନଥିବାବେଳେ ଏହାର ତଦନ୍ତ ଆରମ୍ଭ ହୋଇଛି ।

ମାସେଡୋନିଆରୁ କିଛି ବସରେ ପିଲାମାନେ ସାପ୍ତାହିକ ଛୁଟି କାଟିବାକୁ ତୁର୍କୀର ଇସ୍ତାନବୁଲକୁ ଯାଇଥିଲେ । ସେମାନେ ସେଠାରୁ ଫେରୁଥିବା ସମୟରେ ବୁଲଗେରିଆର ସୋଫିଆଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଅଟକିଥିଲା । ହେଲେ ଏହାର କିଛି ସମୟରେ ବସରେ ନିଆଁ ଲାଗିଯାଇଥିଲା । ବୁଲଗେରିଆ ପ୍ରଧାନମନ୍ତ୍ରୀ ଷ୍ଟେଫାନ ୟାନେଭ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ପୀଡିତଙ୍କ ଶରୀର ଅନେକାଂଶରେ ପୋଡିଯାଇଛି । ଘଟଣାସ୍ଥଳର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି ପୀଡିତ କହିଛନ୍ତି । ମୃତକଙ୍କ ମଧ୍ୟରେ ଛୁଟି କାଟିବାକୁ ଯାଇଥିବା ୧୨ ଜଣ ଶିଶୁ ଥିବାବେଳେ ଅଦ୍ୟ ମୃତକଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଘଟଣାସ୍ଥଳକୁ ସିଲ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି । ଦୁର୍ଘଟଣାର କାରଣ ସ୍ୱଷ୍ଟ କରିବାକୁ ବସ୍ ବାହାରିଥିବା ସ୍ଥାନରୁ ଆରମ୍ଭ କରି ଘଟଣାସ୍ଥଳ ଯାଏଁ ଥିବା ଏକାଧିକ ସିସିଟିଭି ଫୁଟେଜ ଗୁଡିକୁ ଅନୁଧ୍ୟାନ କରାଯାଉଛି ।