କୋଭିସିଲ୍ଡର ପ୍ରଥମ- ଦ୍ୱିତୀୟ ଡ଼ୋଜର ବ୍ୟବଧାନ ବଢିପାରେ ୧୨ରୁ ୧୬ ସପ୍ତାହ : ପ୍ରସ୍ତାବ ଦେଲା ବୈଷୟିକ କମିଟି

କୋଭିଡ ସଂକ୍ରମିତଙ୍କୁ ୬ ମାସ ପରେ ଟିକା ଦେବାକୁ ସୁପାରିଶ

159

କନକ ବ୍ୟୁରୋ : କୋଭିସିଲ୍ଡ ଟିକାର ପ୍ରଥମ ଡ଼ୋଜ ନେବା ପରେ ବଢିପାରେ ଦ୍ୱିତୀୟ ଡ଼ୋଜର ବ୍ୟବଧାନ । ୧୨ରୁ ୧୬ ସପ୍ତାହ ବଢିପାରେ ଦ୍ୱିତୀୟ ଡ଼ୋଜର ବ୍ୟବଧାନ । ଟିକାକରଣ ପାଇଁ ଗଠନ ହୋଇଥିବା ଜାତୀୟ ବୈଷୟିକ ପରାମର୍ଶଦାତା କମିଟି, ଏନଟିଏଜିଆଇ ଏହି ପ୍ରସ୍ତାବ ଦେଇଛନ୍ତି । ବର୍ତମାନ ଏହି ବ୍ୟବଧାନ ୪ରୁ ଆଠ ସପ୍ତାହ ଭିତରେ ରହିଛି । ତେବେ କୋଭାକ୍ସିନ ଟିକା ନେବାର ବ୍ୟବଧାନରେ କୌଣସି ପରିବର୍ତନ କରିବାକୁ ପରାମର୍ଶ ଦିଆଯାଇନାହିଁ ।

ସେହିଭଳି କରୋନାରୁ ଭଲ ହେବାର ୬ ମାସ ପରେ ଟିକା ନେବା ପାଇଁ କମିଟି ପରାମର୍ଶ ଦେଇଛି । ଏନଟିଏଜିଆଇର ଏହି ପ୍ରସ୍ତାବ ପୂର୍ବରୁ ଡାକ୍ତରମାନେ ଏହି ସମୟସୀମା ୩ ମାସ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସଂକ୍ରମଣରୁ ରକ୍ଷାପାଇବା ପାଇଁ ସତର୍କ ରହିବା ସହ ଟିକାକରଣର ଶେଷ ଅସ୍ତ୍ର ଭାବେ ଗ୍ରହଣ କରାଯାଉଛି ।

ଦେଶରେ ଏବେ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାକରଣ ଜାରି ରହିଛି । ପ୍ରଥମ ଡ଼ୋଜ ଟିକମା ନେବା ପରେ ଦ୍ୱିତୀୟ ଡ଼ୋଜ ପାଇଁ ଅପେକ୍ଷା କରିଛନ୍ତି ଲୋକେ । ଏହାରି ଭିତରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡ଼ୋଜ ମଧ୍ୟରେ ବ୍ୟବଧାନ ବଢାଇବା ଖବର ସାମ୍ନାକୁ ଆସିଛି ।