ଅନଲାଇନରେ ମିଳିବ ୧୧ ପ୍ରକାର ସେବା: ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏମଏସଏମଇ ଦେଇଥାଏ ବେଶୀ ନିଯୁକ୍ତି, ଏହାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

223

କନକ ବ୍ୟୁରୋ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି ଅଧିନରେ ଅନ୍ଲାଇନରେ ମିଳିବ ୧୧ ପ୍ରକାର ସେବା । ଭିଡିଓ କନ୍ଫରେନ୍ସ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି ।

ତେଣୁ ଏହି ସବୁ ଶିଳ୍ପଗୁଡିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନୀତି ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତନ ଆସିଛି ଏବଂ କରୋନା ମହାମାରୀ ସତ୍ୱେ ଓଡିଶାରେ ଗତ ୧୦ ମାସରେ ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ପୁଂଜି ଆଣିବାରେ ରାଜ୍ୟ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।