ମାସ୍କ କେଳେଙ୍କାରୀ! ବିବାଦ ବଢ଼ିଲା ପରେ ସାମ୍ନାକୁ ସତ ଆଣିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କହିଲେ, ପ୍ରଥମେ ୧୦ ପରେ ୧୬ ଟଙ୍କାରେ ମାସ୍କ କିଣିବା ନେଇ କେନ୍ଦ୍ରର ଥିଲା ନିର୍ଦ୍ଦେଶ ।

327

କନକ ବ୍ୟୁରୋ: ରାତାରାତି ମାସ୍କ ଦର ବଦଳିଯିବାର ଅଭିଯୋଗ ପରେ ସତ ବଖାଣିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ମାସ୍କ କିଣାବିକା ଦୁର୍ନୀତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରେସମିଟ କରି ପୂରା କାହାଣୀର ଖୁଲାସା କରିଛନ୍ତି । ରାତାରାତି କାହିଁକି ବଦଳିଲା ମାସ୍କ ଦରର ପ୍ରଶ୍ନ ତେଜୁଥିବାବେଳେ ନବ କହିଛନ୍ତି କି, ପ୍ରଥମେ ୧୦ ଟଙ୍କାରେ ମାସ୍କ କିଣିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ ଥିଲା । ପରେ ୧୬ ଟଙ୍କାରେ ମାସ୍କ କିଣିବାକୁ କେନ୍ଦ୍ରର ନିର୍ଦ୍ଦେଶ ଦେଇଥିଲା । ୨୪ ମାର୍ଚ୍ଚରେ କେନ୍ଦ୍ରର ନିର୍ଦ୍ଦେଶ ଆସିବା ପରେ ମାସ୍କ କିଣା ହୋଇଛି ।

ସେପଟେ ବିରୋଧୀ ରାଜ୍ୟ ସରକାରଙ୍କୁ ମାସ୍କ କିଣାରେ ମହାଘୋଟାଲା କରିବାନେଇ ଅଭିଯୋଗ ଆଣିବା ପରେ, ସ୍ୱାସ୍ଥ୍ୟମନ୍ତ୍ରୀ ଦମ୍ଭୋକ୍ତି ବାଢ଼ି କହିଛନ୍ତି କି, ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତିନି । ଏପରି ସ୍ଥିତିରେ କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗନ୍ତୁ ନାହିଁ । ଯାହା ବି କରାଯାଇଛି କେନ୍ଦ୍ରର ଗାଇଡଲାଇନରେ କରାଯାଇଛି । ଡାକ୍ତର, ମେଡିକାଲ ଷ୍ଟାଫ, ସରକାରୀ ଅଫିସରଙ୍କ ପାଇଁ ରାଜ୍ୟ ଗର୍ବିତ । ହେମନ୍ତ ଶର୍ମାଙ୍କୁ କୋଭିଡ ସାମଗ୍ରୀ କିଣିବା ଦାୟିତ୍ୱ ଦିଆଯାଇଥିଲା ।