ଓଡିଶା ଉପକୂଳ ଦେଇ ଗତି କରିବ ‘ଫନି’ । ବାତ୍ୟାର ଗତିପଥ ବଦଳିବା ନେଇ ଆଇଏମଡି ଓ ୟୁଏଏସ ନ୍ୟାଭିର ଆକଳନ

ଏସଆରସି କହିଲେ, ବର୍ତ୍ତମାନର ଆକଳନ ଅନୁସାରେ ଓଡିଶାରେ ହିଟ୍ କରିବନି ବାତ୍ୟା

1,197

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନି’ ଓଡିଶା ଉପକୂଳ ଦେଇ ଗତି କରିପାରେ । ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ ନେଭି ଏହି ଆକଳନ କରିଛି । ୩ ତାରିଖ ସୁଦ୍ଧା ଏହା ଓଡିଶା ଉପକୂଳ ଦେଇ ଗତି କରିପାରେ । ବର୍ତମାନ ଏହି ବାତ୍ୟା ଚେନ୍ନାଇ ଠାରୁ ୮୮୦ କିଲୋମିଟର ଓ ଆନ୍ଧ୍ରର ମଛଲିପଟ୍ଟନମରୁ ୧୦୫୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା “ସିଭିୟର ସାଇକ୍ଲୋନିକ ଷ୍ଟର୍ମ” ଓ ୨୪ ଘଂଟା ମଧ୍ୟରେ “ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ”ର ରୂପ ନେଇପାରେ ।

୧ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତରପଶ୍ଚିମ ଓ ପରେ ଉତ୍ତର ଓ ଉତ୍ତର-ପୂର୍ବ ଦେଇ ଗତି କରିପାରେ । ଫନିର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡିଶାରେ ୨ ତାରିଖରେ ସାମାନ୍ୟ ବର୍ଷା ଓ ୩ ତାରିଖରେ ଉପକୂଳ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨ ତାରିଖରୁ ଉପକୂଳ ଓଡିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହି ବେଗ ୬୦ କିଲୋମିଟର ଯାଏଁ ଯାଇପାରେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ କୂଳକୁ ଫେରିଆସିବାକୁ ଚେତାବନୀ ଦିଆଯାଇଛି ।

 

୪ ତାରିଖ ସୁଦ୍ଧା ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖାଯାଇଛି । ସବୁ ପ୍ରକାର ପରିସ୍ଥିତିର ମୁତାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ୨୦ ଓଡ୍ରାଫ ଟିମକୁ ସତର୍କ ରଖାଯାଇଛି । ଏନଡିଆରଏଫ ଟିମକୁ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲାପାଳଙ୍କୁ ଆବଶ୍ୟକ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଫନିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି । ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଭାବିତ ରାଜ୍ୟଗୁଡିକର ସରକାରଙ୍କ ସହ ମିଶି କାମ କରିବାକୁ ସେ ନିବେଦନ କରିଛନ୍ତି । ସମସ୍ତଙ୍କ ନିରାପତା ଏବଂ ମଙ୍ଗଳ କାମନା କରିଛନ୍ତି ମୋଦି ।

Comments are closed.