କୃଷକ ଆନ୍ଦୋଳନରେ ବିଦେଶୀ ଲିଙ୍କ୍ ପ୍ରସଙ୍ଗ । ପାକିସ୍ତାନ ଓ ଖଲିସ୍ତାନ ସହ ଯୋଡି ହୋଇଥିବା ୧୧୭୮ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ

127

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ କୃଷକ ମାନେ କରିଥିବା ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ପରେ ସରକାର ପୁରା ସତର୍କ ହୋଇଛନ୍ତି । ଏନେଇ ସରକାରଙ୍କ ତରଫରୁ ସୋସିଆଲ ମିଡିଆ ଉପରେ ସମ୍ପୁର୍ଣ୍ଣ ନଜର ରଖାଯାଇଛି । ଏହାସହ ଗୁରୁବାର ଦିନ ସରକାରଙ୍କ ତରଫରୁ ଟ୍ୱିଟର କମ୍ପାନୀକୁ ଏକ ନୋଟିସ୍ ବି ଜାରି କରାଯାଇଛି । ଏହି ନୋଟିସରେ ସରକାର ମାଇକ୍ରୋବ୍ଲଗିଙ୍ଗ ସାଇଟକୁ କହିଛନ୍ତି କି ୧୧୭୮ ଆକାଉଣ୍ଟକୁ ବନ୍ଦ କରାଯାଉ । ସରକାରଙ୍କ କହିବା କଥା କି ଏହି ସବୁ ଆକାଉଣ୍ଟ ପାକିସ୍ତାନ କିମ୍ବା ଖଲିସ୍ତାନ ସହିତ ଜଡିତ ରହିଛି ।

କହିରଖୁ କି ଏହା ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ କି ଜାନୁଆରୀ ୩୦ ତାରିଖରେ ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ୨୫୭ ଟି ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଉ । ସୂଚନା ଥାଉକି ଟ୍ୱିଟର ପାଇଁ ଥିବା ଅଧିନିୟମର ଧାରା ୬୯ ମୁତାବକ ସରକାରଙ୍କ ଏଭଳି ନିର୍ଦ୍ଦେଶ ମାନିବାକୁ ଟ୍ୱିଟର ବାଧ୍ୟ । ଗୃହମନ୍ତ୍ରଣାଳୟ ଓ ଅନ୍ୟ ସୁରକ୍ଷା ବିଭାଗର ଆଲୋଚନା ପରେ ଆଇଟି ମନ୍ତ୍ରଣାଳୟ ତରଫରୁ ଟ୍ୱିଟରରୁ ଏଭଳି ଆକାଉଣ୍ଟ ଗୁଡିକୁ ବନ୍ଦ କରିବାକୁ କହିଛନ୍ତି ।

ହେଲେ ଏବେ ବି ସରକାରଙ୍କ ନୋଟିସ ଉପରେ ଟ୍ୱିଟର କୌଣସି ପ୍ରତିକ୍ରିୟା ରଖିନାହିଁ । ସୂଚନା ମୁତାବକ ସରକାରଙ୍କ ତରଫରୁ ଯେଉଁ ଆକାଉଣ୍ଟ ଗୁଡିକୁ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦିଆଯାଇଛି ସେହି ଆକାଉଣ୍ଟ ମଧ୍ୟରୁ ଅଧିକାଂଶ ଆକାଉଣ୍ଟ ଖଲିସ୍ତାନୀ ସମର୍ଥକ ମାନଙ୍କର ରହିଛି । ଏହି ଆକାଉଣ୍ଟ ଗୁଡିକ ବିଦେଶରୁ ପରିଚାଳିତ ହେଉଛି ।
ଆଇନଗତ ଭାବେ ଟ୍ୱିଟର ଏକ ମଧ୍ୟସ୍ଥି ଓ ସେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ଟ୍ୱିଟର ଯଦି ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରେ ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।