ରାଜ୍ୟରେ ଚାଲୁଛି ୧୧,୪୭୨ ଯାତ୍ରୀବାହୀ ବସ୍ । ମନ୍ତ୍ରୀ କହିଲେ, ଫିଟ୍ ଥିବା ଯାଏଁ ରାସ୍ତାରେ ଗଡିବ ବସ୍ । 

260

କନକ ବ୍ୟୁରୋ : ରାଜ୍ୟରେ ଯାତ୍ରୀବାହୀ ବସ୍ ସଂଖ୍ୟା କେତେ? ଆଉ ଏହି ବସ୍ ଭିତରେ କେତେ ସଂଖ୍ୟକ ବସ୍ ଫିଟ ରହିଛି । ରାଜ୍ୟରେ କେତେ ସଂଖ୍ୟକ ସରକାରୀ ଓ କେତେ ସଂଖ୍ୟକ ବେସରକାରୀ ବସ ଚାଲୁଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନର ଉତ୍ତର ଦେଇ ପୂରା ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ।

ରାଜ୍ୟରେ ଏବେ ୧୧,୪୭୨ ଯାତ୍ରୀବାହୀ ବସ୍ ଚାଲୁଥିବା ବେଳେ ଏଥିରୁ ୧୦୫୧ଟି ବସ ସରକାରୀ ଓ ସରକାରୀ ସଂସ୍ଥାର ରହିଛି । ସେହିଭଳି ୧୦,୪୨୧ଟି ବେସରକାରୀ ବସ୍ ରାଜ୍ୟରେ ଚାଲିଛି । ସେହିଭଳି ୪୪ ଟି ଗ୍ରାମ ପଞ୍ଚାୟତକୁ ସଡକ ଯୋଗାଯୋଗ ବ୍ୟବସ୍ଥା ନାହିଁ, ତେଣୁ ବସ୍ ଯୋଗଯୋଗ ବ୍ୟବସ୍ଥା ନାହିଁ ।  ଭାରତରେ ପ୍ରତି ଏକ ଲକ୍ଷ ଲୋକଙ୍କ ପାଇଁ ହାରାହାରି ୨୨ ଟି ବସ ଚାଲୁଥିବା ବେଳେ ଓଡିଶାରେ ଏକ ଲକ୍ଷ ଲୋକଙ୍କ ପାଇଁ ୩୨ଟି ବସ ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ଏହାବାଦ୍ ଗୋଟିଏ ନୂତନ ବସ୍ କିଣି ହେବା ଦିନଠାରୁ କେତେଦିନ ରାସ୍ତାର ଚାଲିପାରିବ ସେନେଇ କୌଣସି ନିୟମ ନାହିଁ । ବସର ଫିଟନେସ୍ ବୈଧ ଥିବା ପର୍ଯ୍ୟନ୍ତ ଏହା ରାସ୍ତାରେ ଚଳାଚଳ କରିପାରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏହାବାଦ୍ ବରମୁଣ୍ଡା ବସ ଷ୍ଟାଣ୍ଡର ନବକଳେବର ହେବା ନେଇ ଯେଉଁ ଘୋଷଣା ହୋଇଥିଲା ୨୦୨୧ ନଭେମ୍ବର ୪ ତାରିଖ ସୁଦ୍ଧା ବସଷ୍ଟାଣ୍ଡର ସମାଗ୍ରିକ ଉନ୍ନତିକରଣ କରାଯିବା ପାଇଁ ସ୍ଥିର କରାଯାଇଛି ।