ଯୁକ୍ତ ୨ ଥିଓରୀ ପରୀକ୍ଷା । ଆଜି ଠାରୁ ୨୦୨ ହବକୁ ଯିବ ପ୍ରଶ୍ନପତ୍ର, ଏଥର ୧୧୪୫ କେନ୍ଦ୍ରରେ ହେବ ପରୀକ୍ଷା ।

ଯୁକ୍ତ ୨ ଥିଓରୀ ପରୀକ୍ଷା । ଆଜି ଠାରୁ ୨୦୨ ହବକୁ ଯିବ ପ୍ରଶ୍ନପତ୍ର, ଏଥର ୧୧୪୫ କେନ୍ଦ୍ରରେ ହେବ ପରୀକ୍ଷା ।

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ୨ ଥିଓରି ପରୀକ୍ଷା। ଆଜି ଠାରୁ ଫେବ୍ରୁଆରି ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍‌ ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ତାହାକୁ ନଜରରେ ରଖି ହବଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ସେଥିମଧ୍ୟରୁ ୨୦୧ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍‌-ଟ୍ରେଜେରିକୁ ହବ୍‌ ଭାବେ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହାକି ୨୦୨ଟି ହବ୍‌ ଅଧୀନରେ ରହିଛି। ୨୦୧ ଯୁକ୍ତ୨ କଲେଜ ଅଧ୍ୟକ୍ଷ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି। ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମଏଚରେ ଡେପୁଟି ସୁପରଭାଇଜର, ଇଏମଏଚ୍‌ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍‌ ୱାଚମ୍ୟାନ୍‌ ହବ୍‌ ପରିଚାଳନା ଦାୟିତ୍ବରେ ରହିଛନ୍ତି। ହବର ଷ୍ଟ୍ରଙ୍ଗ୍‌ ରୁମରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଲିସ ପହରା ବ୍ୟବସ୍ଥା କରାଯିବ।

ପ୍ରଶ୍ନପତ୍ର ଗ୍ରହଣ କରିବା ଦିନଠାରୁ ହିଁ ହବଗୁଡ଼ିକ କାର୍ଯ୍ୟକ୍ଷମ ହେବ। କୌଣସି ବି ପରିସ୍ଥିତିରେ ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗରୁମକୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ। ଯେତେବେଳେ ବି ଷ୍ଟ୍ରଙ୍ଗରୁମ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ। ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ। ପରିଷଦ କିମ୍ବା ପରୀକ୍ଷା ପରିଚାଳନା ହବ୍‌ ସ୍ତରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ କିଭଳି ପ୍ରଶ୍ନପତ୍ର ଯିବ ସୁପରଭାଇଜରମାନେ ରୁଟଚାର୍ଟ ପ୍ରସ୍ତୁତ କରିବେ। ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ସିଲ୍‌ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ।

ଷ୍ଟ୍ରଙ୍ଗରୁମକୁ ଅସ୍ଥାୟୀ ଟ୍ରେଜର ଭାବେ ଘୋଷଣା କରାଯିବ। ପ୍ରତି ହବରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍‌ ଗଠନ କରାଯିବ, ଯେଉଁମାନେ କି ଅବଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିବେ। ହବ୍‌ କେନ୍ଦ୍ର ଲାଗି କୌଣସି ଅବଜରଭର୍‌ ନିଯୁକ୍ତ ହେବେ ନାହିଁ। ବରଂ ଟ୍ୟାଗ୍‌ କଲେଜ ପାଇଁ କେବଳ ଅବଜରଭର କାମ କରିବେ। ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଦିଗରେ ହବ୍‌ ସୁପରଭାଇଜର ଗୁରୁତ୍ବ ଦେବେ। କୌଣସି ବି ପରିସ୍ଥିତିରେ ହବର ସିସିଟିଭି କ୍ୟାମେରାରେ ରେକର୍ଡିଂ ବନ୍ଦ ହେବନି ଏବଂ ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ସ୍ଥାନୀୟ ପୁଲିସ ଗୁରୁତ୍ବ ଦେବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ପରିଷଦର କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଚଳିତବର୍ଷ ପରୀକ୍ଷା ପରିଚାଳନା ଲାଗି ୨୦୨ ହବ୍‌ ଖର୍ଚ୍ଚ ବାବଦରେ ୧ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥ ହବ୍‌ର ଅଧିକାରୀ, ଅବଜରଭର୍‌, ଡାକଘରକୁ ଉତ୍ତର ଖାତାଗୁଡ଼ିକୁ ପରିବହନ, ଗାଡ଼ି ଭଡ଼ା ଆଦି ଲାଗି ଖର୍ଚ୍ଚ କରାଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe