କନକ ବ୍ୟୁରୋ: ଜଣେ ବୃଦ୍ଧ ମୋଚୀକୁ ରାତାରାତି ସେଲିବ୍ରିଟୀ କରିଦେଛନ୍ତି ବିରୋଧୀଦଳ ନେତା ତଥା କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । କାରଣ ରାହୁଲ ଯେବେଠୁ ଏହି ମୋଚୀଙ୍କ ଦୋକାନରୁ ଚପଲ ସିଲେଇ କରି ଯାଇଛନ୍ତି ସେବେଠୁ ସପିଂ ମଲ୍ ଭଳି ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ୍, ମୋଚୀ ଦୋକାନୀଙ୍କ ସହ ସେଲ୍ଫି ନେବାକୁ ଜମୁଛି ଲୋକଙ୍କ ଭିଡ଼ ।

ଗତ ୨୬ ତାରିଖରେ ୟୁପିର ସୁଲତାନପୁର ଗସ୍ତରେ ଯାଇଥିଲେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଫେରିବା ବାଟରେ ଚେତରାମ ନାମକ ମୋଚୀ ଦୋକାନରେ ଅଟକି ଯାଇଥିଲେ ରାହୁଲ । ପରେ ଚେତରାମଙ୍କ ସହ ବସି କଥା ହୋଇଥିଲେ ଏବଂ ଦୁଇ ହଳ ଜୋତା ନିଜ ହାତରେ ସିଲେଇ କରିଥିଲେ ଖୋଦ୍ ରାହୁଲ ଗାନ୍ଧୀ । ସେବେଠାରୁ ମୋଚୀ ଚେତରାମଙ୍କ ଭାଗ୍ୟ ଯେମିତି ରାତାରାତି ବଦଳିଗଲା । ତାଙ୍କ ପାଖରେ ବସି ଯେଉଁ ଜୋତା ରାହୁଲ ଗାନ୍ଧୀ ସିଲେଇ କରିଥିଲେ ସେହି ଜୋତାକୁ ଏବେ ଲକ୍ଷ ଲକ୍ଷ ଟଙ୍କାରେ କିଣିବାକୁ ଫୋନ୍ କଲ୍ ଆସୁଥିବା କହିଛନ୍ତି ଖୋଦ୍ ମୋଚୀ ଦୋକାନୀ ଚେତରାମ ।

ମୋଚୀ ଚେତରାମଙ୍କ କାହାଣୀ ଏବେ ଚର୍ଚ୍ଚାରେ ଏଥିପାଇଁ ଯେ, ଦୁଇ ହଳ ଜୋତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଫର ଆସୁଥିଲେ ବି ଜୋତାକୁ ବିକିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି । କାରଣ ରାହୁଲ ସିଲେଇ କରିଛନ୍ତି ସେହି ଜୋତା ହଳକ । ଏନେଇ ମୋଚୀ ଦୋକାନୀ ଚେତରାମ କହିଛନ୍ତି ଯେ, ତାଙ୍କୁ କିଏ କୋଟିଏ ଟଙ୍କା ଦେଲେ ବି ସେ ଏହି ଜୋତାକୁ ବିକିବେନି ବରଂ ବଞ୍ଚିଥିବା ଯାଏଁ ଏହି ଜୋତାକୁ ଫ୍ରେମ୍ କରିକି ତାଙ୍କ ଦୋକାନରେ ରଖିବେ ।

ରାହୁଲ ଗାନ୍ଧୀ ଚେତରାମଙ୍କୁ ଭେଟିବା ପରେ ତାଙ୍କ ପାଇଁ ଏକ ନୂଆ ସିଲେଇ ମେସିନ୍ ଗିଫ୍ଟ ପଠାଇଥିଛନ୍ତି । ଚପଲ ସିଲେଇ କରୁଥିବା ସ୍ୱତନ୍ତ୍ର ଇଲେକ୍ଟ୍ରିକ୍ ମେସିନ୍ ମୋଚୀ ଚେତରାମଙ୍କ ପାଇଁ ରାହୁଲ ଗାନ୍ଧୀ ପଠାଇଥିବା ଖୋଦ୍ ଚେତରାମ କହିଛନ୍ତି । ଆପଣ ଅନେକ ନେତାଙ୍କ ବଡ଼ପଣ ଦେଖିଥିବେ କିନ୍ତୁ ଜଣେ ମୋଚୀଙ୍କ ସହ ରାହୁଲ ଗାନ୍ଧୀ ବିତାଇଥିବା ସମୟ ଚେତରାମଙ୍କ ମନକୁ ଜିଣିପାରିଛି । ସେଥିପାଇଁ ସାମାନ୍ୟ ସିଲେଇ ହୋଇଥିବା ଜୋତାକୁ ଲକ୍ଷ ଲକ୍ଷ ଟଙ୍କାର ଅଫର ଥିଲେ ବି ବିକିନାହାନ୍ତି ବୃଦ୍ଧ ମୋଚୀ ଚେତରାମ ।