ଆସନ୍ତା ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଜୁନ୍ ୧୦ରୁ ପ୍ରବଳ ବର୍ଷିବ ।

2,670

କନକ ବ୍ୟୁରୋ: ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଆସିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଭିତରେ ମୌସୁମୀ ଓଡିଶା ଆସିପାରେ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟାରେ ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ଜୁନ ୧୦ରୁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୧୧ କିମ୍ବା ୧୨ ତାରିଖ ବେଳକୁ ଓଡିଶା, ପଶ୍ଚିମବଙ୍ଗ ଓ ଆସାମରେ ମୌସୁମୀର ପ୍ରଭାବ ଅନୁଭୂତ ହେବ । ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବ । କିନ୍ତୁ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବର୍ତ୍ତମାନ ମୌସୁମୀର ଉତର ଭାଗ କରୱାର, ସିମୋଗା, ଟୁମକୁର, ଚିତୋର ଓ ଚେନ୍ନାଇରେ ରହିଛି । ଆଗାମୀ ୨ ଦିନ ମଧ୍ୟରେ ଏହା ଗୋଆ, କୋଂକଣ, କର୍ଣ୍ଣାଟକ, ରାୟଲସୀମାର କେତେକ ଅଂଚଳ, ତାମିଲନାଡୁର ଅନ୍ୟାନ୍ୟ ଭାଗ ସହ ଆନ୍ଧ୍ର ଉପକୂଳରେ ବର୍ଷା କରାଇବ । ପରବର୍ତୀ ୪୮ ଘଂଟାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରର ଅନ୍ୟାନ୍ୟ ଭାଗରେ ବର୍ଷା କରାଇବା ସହ ସିକିମ, ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରଭାବ ପକାଇବ ।