ନିର୍ବାଚନ ପୂର୍ବରୁ କଂଗ୍ରେସର ନାରୀ ନ୍ୟାୟ ଗ୍ୟାରେଣ୍ଟି ଯୋଜନା । ଗରିବ ଶ୍ରେଣୀର ମହିଳାଙ୍କୁ ବାର୍ଷିକ ମିଳିବ ୧ ଲକ୍ଷ ଟଙ୍କା ।

203

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଲା ନାରୀ ନ୍ୟାୟ ଗ୍ୟାରେଂଟି । ଦେଶର ମହିଳାଙ୍କ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆଜେଂଡା । ନାରୀ ନ୍ୟାୟ ଗ୍ୟାରେଂଟି ଅଧିନରେ ୫ଟି ଘୋଷଣା କରିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସରକାରକୁ ଆସିଲେ ‘ମହାଲକ୍ଷ୍ମୀ ଗ୍ୟାରେଂଟି’ରେ ପ୍ରତି ମହିଳାଙ୍କୁ ବର୍ଷକୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି ।

ଦ୍ୱିତୀୟରେ ରହିଛି ‘ଆଧି ଆବାଦ, ପୂରା ହକ୍’ ଗ୍ୟାରେଂଟି । ଏଥିରେ ସରକାରୀ ନିଯୁକ୍ତିରେ ମହିଳାଙ୍କ ପାଇଁ ରହିବ ୫୦ ପ୍ରତିଶତ ସଂରକ୍ଷଣ । ତୃତୀୟଟି ହେଉଛି ‘ଶକ୍ତି କା ସମ୍ମାନ’ । ଏଥିରେ ଅଙ୍ଗନବାଡ଼ି, ଆଶା କର୍ମୀ ଓ ମିଡ୍ ଡେ ମିଲ୍ କର୍ମଚାରୀଙ୍କ ଦରମା ଦୁଇଗୁଣା କରାଯିବ । ଚତୁର୍ଥଟି ହେଉଛି ‘ଅଧିକାର ମୈତ୍ରୀ’ । ଏଥିରେ ମହିଳାଙ୍କ ଅଧିକାର ନେଇ ସଚେତନ କରିବା ସହ ସହାୟତା ଯୋଗାଇବାକୁ ପ୍ରତି ପଂଚାୟତରେ ନିଯୁକ୍ତ ହେବେ ଆଇନ ପରାମର୍ଶଦାତା । ଏବଂ ପଂଚମ ଟି ହେଉଛି । ‘ସାବିତ୍ରୀ ବାଇ ଫୁଲେ ହଷ୍ଟେଲ’ । ଏଥିରେ ଜିଲ୍ଲା ହେଡକ୍ୱାଟର୍ସରେ କାମ କରୁଥିବା ମହିଳାଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ।