ସିନେପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବିଗ୍ ବି’, ରିପୋର୍ଟ ନେଗେଟିଭ୍ ଆସିବାପରେ ହସ୍ପିଟାଲରୁ ହେଲେ ଡିସଚାର୍ଜ, ଏପଟେ କେନ୍ଦ୍ର ଗୃହମନ୍ତ୍ରୀ କରୋନା ଅକ୍ରାନ୍ତ ।

360

କନକ ବ୍ୟୁରୋ: ବଲିଉଡ ଓ ସିନେମାପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ  । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଫେରିଲେ ବିଗ୍ ବି । ‘ବିଗ୍ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ଖବର ଟୁଇଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ଆଶ୍ବସ୍ତିର କଥା, ସଦ୍ୟତମ କୋଭିଡ୍-୧୯ ପରୀକ୍ଷାରେ ମୋ ବାପା ନେଗେଟିଭ୍ ଆସିଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ବିଦା କରାଯାଇଛି। ସମ୍ପ୍ରତି ସେ ଘରେ ଅବସ୍ଥାନ କରି ବିଶ୍ରାମ ନେବେ। ତାଙ୍କ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଜ୍ଞାପନ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।

ନିଜେ ଅମିତାଭ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, କୋଭିଡ୍ ବିଯୁକ୍ତ ‌ହୋଇ ଡାକ୍ତରଖାନାରୁ ବିଦା ହେଲି। ଘରେ ନିର୍ଜନ ଏକାନ୍ତବାସରେ ରହିଛି। ସର୍ବଶକ୍ତିମାନଙ୍କ କରୁଣା, ବାପାମାଆଙ୍କ ଆଶିଷ, ଆତ୍ମୀୟ, ବନ୍ଧୁପରିଜନ ଓ ପ୍ରଶଂସକଙ୍କ ପ୍ରାର୍ଥନା ଏବଂ ନାନାବତୀର ଚମତ୍କାର ତତ୍ତ୍ବାବଧାନ ଓ ସେବା ଯୋଗୁଁ ମୁଁ ସୁସ୍ଥ ହେଲି ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହୋଇଛନ୍ତି । ନମୁନା ପରୀକ୍ଷା ପରେ ପଜିଟିଭ ଚିହ୍ନଟ । ଟ୍ୱିଟ୍ କରି କହିଲେ, ସଂସ୍ପର୍ଶରେ ଆସିଥିଲେ ସଙ୍ଗରୋଧରେ ରୁହନ୍ତୁ । ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସଂପର୍କରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ସହ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।