ଖାତା ନ ଦେଖିବା ପଡିଲା ମହଙ୍ଗା ! ଏକାସଙ୍ଗେ ୧୧୦ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

43

କନକ ବ୍ୟୁରୋ : ଯୁକ୍ତ ଦୁଇ ଖାତାଦେଖା ମୂଲ୍ୟାୟନରେ ଅସହଯୋଗ କରିଥିବାରୁ ୧୧୦ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବେସରକାରୀ ଅନୁଦାନପ୍ରାପ୍ତ ୬୮ଟି କଲେଜର ପରିଚାଳନା କମିଟିକୁ ଚିଠି ଲେଖାଯାଇଛି । ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ଯୁକ୍ତ ଦୁଇ ଖାତାଦେଖା ବର୍ତମାନ ଚାଲିଛି ।

ପ୍ରଥମ ପର୍ଯ୍ୟାୟ ଖାତାଦେଖା ସରିଥିବାବେଳେ ଗତକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଚାଲିଛି । କିନ୍ତୁ ଖାତାଦେଖାରେ କିଛି ଅଧ୍ୟାପକ ସହଯୋଗ କରୁନାହାନ୍ତି । ଏ ନେଇ ସରକାର କଡା ଆଭିମୁଖ୍ୟ ଆପଣାଇଛନ୍ତି । ଗତ ସପ୍ତାହରେ ପ୍ରାୟ ୨୦୦୦ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ସରକାର । ମୂଲ୍ୟାୟନରେ କୌଣସି ସମସ୍ୟା ନଥିବା ସିଏଚଏସଇ ପକ୍ଷରୁ କୁହାଯାଇଥିବା ବେଳେ ମେ ୨୦ ସୁଦ୍ଧା ବିଜ୍ଞାନ ଏବଂ ଜୁନ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଫଳରେ ଆସନ୍ତାକାଲି ଭୁବନେଶ୍ୱରରେ ହେବ ଶିକ୍ଷକ ଅଧ୍ୟାପକ ମିଳିତ ମହାମଂଚର ମହାସମାବେଶ । ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ ଶିକ୍ଷାମନ୍ତ୍ରୀ ଓ ବିଭାଗର ସଚିବ ଉପସ୍ଥିତ ଥିଲେ । ମୁଖ୍ୟଦାବି ସତ୍ୟପାଠ ଉଚ୍ଛେଦ ଦାବିକୁ ସରକାର ମାନିନଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି ମଂଚ ଘୋଷଣା କରିଛି । ୬ ଦଫା ଦାବିରୁୁ ଗୋଟିଏ ଦାବି ମାନିଛନ୍ତି ସରକାର ।