ମୁଖ୍ୟମନ୍ତ୍ରୀ ସାର୍…! ମତେ ସରକାରୀ ସ୍କୁଲ ବଦଳରେ ଘରୋଇ ସ୍କୁଲରେ ପଢାନ୍ତୁ… ନୀତିଶ କୁମାରଙ୍କୁ ଗୁହାରୀ କଲା କୁନିପୁଅ ।

168

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅଟକାଇଲେ ଷଷ୍ଠ ଶ୍ରେଣୀର ଛାତ୍ର । ଆଉ ହାତଯୋଡ଼ି ସରକାରୀ ସ୍କୁଲ ବଦଳରେ ଘରୋଇ ସ୍କୁଲରେ ନାମ ଲେଖାଇବାକୁ କଲେ ଗୁହାରୀ । ପିଲାର କଥା ଶୁଣି ମୁଖ୍ୟମନ୍ତ୍ରୀ ତୁରନ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପତ୍ନୀଙ୍କ ୧୬ତମ ପୁଣ୍ୟତିଥି ଅବସରରେ କଲ୍ୟାଣବିଘା ଯାଇଥିଲେ । ଯେଉଁଠାରେ ନୀତିଶ କୁମାର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଶୁଣୁଥିଲେ ।

ଆଉ ଏହାରି ଭିତରେ ସୋନୁ କୁମାର ନାମକ ଜଣେ ଷଷ୍ଠ ଶ୍ରେଣୀର ଶିଶୁ ଜନ ସମ୍ବାଦରେ ନିଜ ସମସ୍ୟା ନେଇ ପହଞ୍ଚିଥିଲେ । ପିଲାଟି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅଭିଯୋଗ କରିଥିଲା ଯେ ତାଙ୍କ ପିତା ଜଣେ ଦହି ବିକ୍ରି କରିବା କାମ କରନ୍ତି । ପିତା ଯାହା କିଛି ରୋଜଗାର କରନ୍ତି, ସବୁ ମଦ ପିଇବାରେ ସାରି ଦିଅନ୍ତି । ଗରିବ ପରିବାରର ହୋଇଥିବାରୁ ସେ ନିମାକୌଲର ଏକ ସରକାରୀ ସ୍କୁଲରେ ପାଠ ପଢ଼ନ୍ତି, ଯେଉଁଠାରେ ଶିକ୍ଷକ ତାଙ୍କୁ ଭଲ ଶିକ୍ଷା ଦେଉନଥିବା ପିଲାଟି ଅଭିଯୋଗ କରିଥିଲା । ସରକାରୀ ସହାୟତା ମିଳିଲେ ସେ ଆଇଏଏସ୍ କିମ୍ବା ଆଇପିଏସ୍ ହୋଇପାରିବ ବୋଲି ପିଲାଟି କହିଥିଲା । ସେପଟେ ଛୋଟ ପିଲାର ଏଭଳି ସାହସକୁ ଦେଖି ମୁଖ୍ୟମନ୍ତ୍ରୀ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।