୧୧ ବର୍ଷରେ ବିଶ୍ୱ ରେକର୍ଡ । ୧ ମିନିଟରେ ୨୧ ଥର ‘ନିରାଲାମ୍ବା ଚକ୍ରାସନ’ କରି ରିୟା ରଚିଲେ ଇତିହାସ ।

133

କନକ ବ୍ୟୁରୋ: କମ୍ ବୟସରେ ବିଶ୍ୱ ରେକର୍ଡ । ଇତିହାର ରହିଲେ ଉତ୍ତରାଖଣ୍ଡର ୧୧ ବର୍ଷୀୟ ରିୟା ପଲାଡିୟା । ମାତ୍ର ୧ ମିନିଟରେ ୨୧ ଥର ‘ନିରାଲାମ୍ବା ଚକ୍ରାସନ’ ଯୋଗ କରି ଗ୍ଲୋଡେନ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡର ସୁନାମ ଅର୍ଜନ କରିଛନ୍ତି ରିୟା । ଏହା ପୂର୍ବରୁ ୧ ମିନିଟରେ ୧୪ଥର ‘ନିରାଲାମ୍ବା ଚକ୍ରାସନ’ କରି କର୍ଣ୍ଣାଟକର ଖୁସି ଏହି କିତ୍ତୀମାନ ସ୍ଥାପନ କରିଥିଲେ ।

ସୂଚନା ମୁତାବକ, ଉତ୍ତରାଖଣ୍ଡ ବୋର୍ଡିଂ ସିନିୟର ସେକେଣ୍ଡାରୀ ସ୍କୁଲରେ ଆୟୋଜିତ ଏହି ଯୋଗାସନ ପ୍ରତିଯୋଗିତାରେ ୧୧ ବର୍ଷୀୟ ରିୟା ବିଶ୍ୱ ରେକର୍ଡ ଅଧିକାରିଣୀ ହୋଇପାରିଛନ୍ତି । ଆଉ ଗୋଲ୍ଡେନ୍ ବୁକ୍ ଅଫ୍ ୱାର୍ଲ୍ଡ ରେକଡଁର ଜାତୀୟ ମୁଖ୍ୟ ଆଲୋକ କୁମାର ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ସେପଟେ ରିୟା ଏଭଳି ସମ୍ମାନ ପାଇବା ପରେ କହିଛନ୍ତି କି, ବାପା-ମାଆ ଏବଂ କୋଚଙ୍କ ଆଶୀର୍ବାଦ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ।

ସବୁଠାରୁ ବଡ଼ କଥା ହେଲା, ଏହି କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ବିଗତ ୪ ବର୍ଷ ହେବ ରିୟା କଠୋର ପରିଶ୍ରମ କରିଥିବା କହିଛନ୍ତି । ଏପରିକି ପ୍ରତିଦିନ ୧୫ କିଲୋମିଟର ଯାତ୍ରା କରି ଅଭ୍ୟାସ କରୁଛନ୍ତି ରିୟା । ତେବେ ରିୟାଙ୍କ ଏହି ଅବିଶ୍ୱସନୀୟ ସଫଳତା ବିଶ୍ୱ ଦରବାରରେ ଭାରତର ନାଁ ଗୌରାବନ୍ୱିତ କରିଛି ।