କନକ ବ୍ୟୁରୋ : କୁହାଯାଏ ଯାହାକୁ ଭଗବାନ ରକ୍ଷା କରିବେ ତାହାର କିଏ ବା କଣ କରିପାରିବ । ଫିଲିଫିନ୍ସରେ ଜଣେ କୁନି ବାଳକ ସହ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫିଲିଫିନ୍ସର ବେବେ ସହରରେ ଆସିଥିବା ଭୁସ୍ଖଳନ ସମୟରେ ଜଣେ ୧୧ ବର୍ଷର କୁନି ବାଳକ ନିଜକୁ ବଞ୍ଚାଇବା ପାଇଁ ଫ୍ରିଜ ଭିତରକୁ ପଶିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା, ଉଦ୍ଧାରକାର୍ଯ୍ୟର ୨୦ ଘଣ୍ଟା ପରେ ଉକ୍ତ କୁନି ବାଳକକୁ ଫ୍ରିଜ ଭିତରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଉଦ୍ଧାର ହୋଇଥିବା ବାଳକ ଜଣକ ହେଉଛନ୍ତି ସିଜେ ଜେସମି । ପରିବାର ସହ ରହୁଥିବା ଜେସମି ଭୁସ୍ଖଳନରୁ ବର୍ତ୍ତିବା ପାଇଁ ଫ୍ରିଜକୁ ସାହାରା କରିବା ସହ ଏହା ଭିତରେ ପଶିଥିଲେ । ବାତ୍ୟା କାରଣରୁ ଏହି ଫ୍ରିଜଟି ଭାସି ଭାସି ଆସି ନଦୀ କୂଳରେ ଲାଗିଥିଲା । ଆଉ ଜେସମିଙ୍କୁ ସେତେବେଳେ ଉଦ୍ଧାର କରାଗଲା ଯେତେବେଳେ ଉଦ୍ଧାରକାରୀ ଦଳ ବାତ୍ୟାରେ ପ୍ରଭାବିତ ହୋଇଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରୁଥିଲେ । ଉଦ୍ଧାର ପରେ ଉକ୍ତ କୁନି ବାଳକକୁ ଷ୍ଟ୍ରେଚରରେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ପଠାଯାଇଥିଲା । ଆଉ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଭୋକ ହେଉଥିବା କହିଥିଲେ କୁନି ବାଳକ ।
ହସ୍ପିଟାଲରେ ପହଞ୍ଚିବା ପରେ ଜେସମିଙ୍କ ଗୋଡ ଭାଙ୍ଗିଥିବା ଜଣାପଡିଥିଲା ଓ ସଙ୍ଗେ ସଙ୍ଗେ ଅପରେସନ କରାଯାଇଥିଲା । ଏବେ ଜେସମିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ତାଙ୍କ ପରିବାର ଲୋକଙ୍କ ବାବଦରେ କୌଣସି ସୂଚନା ମିଳି ପାରୁନାହିଁ । ସେହିଭଳି ଏହି ଭୁସ୍ଖଳନରେ ଜେସମିଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ବର୍ଷୀୟ ଭାଇ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି । ସେହିଭଳି ଏହି ବାତ୍ୟା ଓ ଭୁସ୍କଳନ ଫଳରେ ଜେସମିଙ୍କ ଗାଁର ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୭୨ ଲୋକ ପ୍ରାଣ ହରାଇଛନ୍ତି ।