୨୨ କୁକୁରଙ୍କ ସହ ଆପାର୍ଟମେଣ୍ଟରେ ୨ ବର୍ଷ ବନ୍ଦ ଥିଲା ନାବାଳକ । ଉଦ୍ଧାର କଲା ସ୍ୱେଚ୍ଛାସେବୀ ସଙ୍ଗଠନ

844

କନକ ବ୍ୟୁରୋ: ମହାରାଷ୍ଟ୍ରର ପୁଣେରୁ ଏକ ଅଭାବନୀୟ ଖବର ସାମନାକୁ ଆସିଛି । ଏଠାରେ ପୋଲିସ ଏକ ଦମ୍ପତ୍ତିଙ୍କ ବିରୋଧରେ ୧୧ ବର୍ଷର ନାବାଳକକୁ ୨୨ଟି କୁକୁରଙ୍କ ସହ ଏକ ଆପାର୍ଟମେଣ୍ଟରେ ବନ୍ଦ ରଖିିବା ଅଭିଯୋଗରେ ମାମଲା ରୁଜୁ କରିଛି । ପୁଣେର କୋଣ୍ଡୱା ପୋଲିସ ଷ୍ଟେସନରେ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଛି ।

ଶିଶୁର ଅବସ୍ଥା ବିଷୟରେ ପ୍ରଥମେ ସ୍ଥାନୀୟ ଲୋକେ କିଛି ଜାଣିପାରିନଥିଲେ । ହେଲେ ଦୀର୍ଘ ଦିନ ଧରି ଉକ୍ତ କୋଠରୀ ବନ୍ଦ ରହିବା ଓ ଝରକା ପଟେ ଶିଶୁକୁ ଦେଖିବା ପରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ଲୋକେ ଏକ ଏନଜିଓ ସଂସ୍ଥାକୁ ଖବର ଦେଇଥିଲେ । ସଂସ୍ଥାର କର୍ମୀମାନେ ପୋଲିସର ସହାୟତାରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ କୋଠରୀ ଖୋଲିବା ପରେ ଯାହା ଦେଖିଥିଲେ ସେଥିରେ ଲୋମ ଟାଙ୍କୁରୀ ଉଠିବ । ପିଲାଟି ପାଖରେ ୨୦ରୁ ଅଧିକ କୁକୁର ଥିଲେ । ଏହାସହ ସେହି କୋଠରୀରେ ଅନେକ ହାଡ ପଡିରହିଥିଲା । ଚାରିଆଡେ କୁକରଙ୍କ ମଳ ପଡିରହିଥିଲା । ଅତି ଦୟନୀୟ ଭାବେ ଶିଶୁକୁ ଦେଖିବାକୁ ମିଳିଥିଲା । ଉଦ୍ଧାର ପରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ନାବାଳକର ବାପା, ମା’ଙ୍କ ବିରୋଧରେ ମାମଲା ଦାଏର କରିଥିଲେ ବି ଶିଶୁକୁ କିଏ ଓ କାହିଁକି ଏପରି ଅବସ୍ଥାରେ ବନ୍ଦୀ କରି ରଖିଥିଲା ସେନେଇ ପୋଲିସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ ।