ବ୍ରଜରାଜନଗର ଉପନିର୍ବାଚନ : ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ । ପଢନ୍ତୁ… ମତଦାନ ପରେ କଣ କହିଲେ ବିଜେପି-କଂଗ୍ରେସ ପ୍ରାର୍ଥୀ

111

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮ ଶହ ୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମୋଟ ୨୭୯ଟି ବୁଥରେ ଚାଲିଛି ମତଦାନ । ସେଥିମଧ୍ୟରୂୁ ୬୦ ଟି ବୁଥ ସମ୍ବେଦନଶୀଳ ଘୋଷଣା କରାଯାଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସେହିପରି ୫୦ ବୁଥରେ ୱେବକାଷ୍ଟିଂ ହେବ । ୩୦ ଟି ମଡେଲ ପୋଲିଂ ବୁଥ ଓ ୫ ଟି ପିଙ୍କ୍ ବୁଥ ରହିବ । ତେବେ ଜୁନ୍ ୩ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ କରାଯିବ । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବୁଥ ଯାଇ ମତଦାନ କରିଛନ୍ତି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନି ଅଳକା ମହାନ୍ତିଙ୍କ ପଲା ଭାରୀ ରହିଛି ।
ଅନ୍ୟପଟେ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମତଦାନ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ଲୋକମାନେ ସଚେତନ ଅଛନ୍ତି । ଲୋକେ ଭୋଟକେନ୍ଦ୍ର ଆସି ମନପସନ୍ଦର ପ୍ରାର୍ଥୀ ବାଛୁଛନ୍ତି । ମୋର ଆଶା ବିଜେପିକୁ ଲୋକେ ସମର୍ଥନ ଜଣାଇବେ । ସେହିଭଳି କଂଗ୍ରେସ ପ୍ରାର୍ଥୀ କହିଛନ୍ତି, ଆମେ ଭାବୁଛୁ ଲୋକେ ଆମକଥା ଶୁଣିଛନ୍ତି । କଂଗ୍ରେସକୁ ସମର୍ଥନ ଦେଉଛନ୍ତି । ସେମାନେ ହୃଦବୋଧ କରିଛନ୍ତି କି ସମସ୍ୟାରୁ କଂଗ୍ରେସ ହିଁ ସେମାନଙ୍କୁ ଉଦ୍ଧାର କରିପାରିବ । ତେଣୁ କଂଗ୍ରେସ ପ୍ରତି ସମର୍ଥନ ବୃଦ୍ଧି ପାଇଛି ।