ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲିମାଫିଆ ମାଡ ମାରିବା ଘଟଣା, ୧୧ ଜଣ ଗିରଫ।

338

କନକ ବ୍ୟୁରୋ: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାକୁ ନେଇ ଆକ୍ସନରେ ଜିଲ୍ଲା ପ୍ରଶାସନ । ୧୧ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚିତ୍ତରଞ୍ଜନ ବେହେରା ଓରଫ କଟି ଫେରାର ହୋଇଯାଇଛି । ଚିତ୍ତଙ୍କର ଏକ ଇଟା ଭାଟି ରହିଛି । ଆଜି ପ୍ରଶାସନ ପକ୍ଷରୁ ସେହି ବେଆଇନ ଇଟା ଭାଟିକୁ ଭଙ୍ଗାଯାଇଛି । ସୂଚନା ଅନୁସାରେ ଦୀର୍ଘ ୨୦ ବର୍ଷ ହେବ ବେହେରା ପରିବାର ବେଆଇନ ଭାବେ ଇଟା ଭାଟି ଓ ବାଲି ଚୋରା ଚାଲାଣ କରି କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଝାଡଖଣ୍ଡ ଅଞ୍ଚଳରୁ ଶ୍ରମିକ ଆଣି ଇଟା ଭାଟିରେ ଲଗାଉଥିଲେ । ଅନ୍ୟପଟେ ଚୋରା ବାଲି ଚାଲାଣ କରିବାକୁ ପଦକ୍ଷେପ ନେଇଛି ପୁଲିସ । ଏସପିଙ୍କ ସୂଚନା ଅନୁସାରେ ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୩୦ଜଣ ସମ୍ପୃକ୍ତ ଅଛନ୍ତି । ୧୧ଜଣ ଗିରଫ ହୋଇଛନ୍ତି ଓ ଅନ୍ୟ ମାନଙ୍କୁ ଖୋଜା ଚାଲିଛି ।

ଗତ ୨ତାରିଖରେ ବାଲିମାଫିଆମାନେ ବୁଢାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ କରୁଥିବାବେଳେ ଉପଜିଲ୍ଲାପାଳ ମୋତିରାମ ଚୌହ୍ୱାନଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଚଢାଉ କରିଥିଲା । ଚଢାଉ କରି ୨ ଟି ଜେସିବି, ୪ଟି ଡମ୍ପର, ଟ୍ରାକ୍ଟର ସହ ଶତାଧିକ ବାଲି ଟ୍ରିପ ଜବତ କରି ସ୍ଥାନୀୟ ଲୋକଙ୍କୁ ତାର ଜଗାରଖା ଦାୟିତ୍ୱ ଦେଇ ଫେରିଆସିଥିଲେ । ଗତକାଲି ଉପଜିଲ୍ଲାପାଳ ଜବତ ଗାଡିଗୁଡିକୁ ଆଣିବାକୁ ଯାଇଥିବା ବେଳେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଉପଜିଲ୍ଲାପାଳଙ୍କ ସହ ତାଙ୍କ ଗାଡି ଚାଳକ ଗୁରୁତର ଆହତ ହୋଇଥିଲେ । ଉପଜିଲ୍ଲାପାଳଙ୍କ ପିଏସଓ ଉପସ୍ଥିତ ବୁଦ୍ଧି ଖଟାଇ ଚୌହ୍ୱାନ ଏବଂ ତାଙ୍କ ଗାଡିଚାଳକଙ୍କୁ ଘଟଣାସ୍ଥଳରୁ ଖସାଇ ଆଣିବାରେ ସକ୍ଷମ ହୋଇଥିଲେ ।