ବଜ୍ରପାତ ସାଜିଲା କାଳ । ରାଜସ୍ଥାନ, ଜୟପୁର ଅମେର ଦୁର୍ଗ ନିକଟରେ ସେଲଫି ଉଠାଇବା ବେଳେ ବଜ୍ରପାତରେ ଗଲା ୧୧ ଜଣଙ୍କ ଜୀବନ ।

186

କନକ ବ୍ୟୁରୋ: ଜୀବନ ନେଲା ଆକାଶ ବିଜୁଳି । ରବିବାର ରାଜସ୍ଥାନ ଜୟପୁର ସ୍ଥିତ ଅମେର ଫର୍ଟରେ ଜମିଥିଲା ପର୍ଯ୍ୟଟକଙ୍କ ଗହଳି । ଆଉ ଏତିକି ବେଳେ ପ୍ରକୃତି ସାଜିଲା କାଳ । ହଠାତ ବଜ୍ରାଘାତରେ ଟଳିପଡିଲେ ୧୧ ଜୀବନ । ଅମେର ଦୁର୍ଗ ବୁଲିବାକୁ ଯାଇଥିବା ଅନେକ ପର୍ଯ୍ୟଟକ ସେଲଫି ନେବା ସମୟରେ ବିଜୁଳି ମାଡରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଜୟପୁରର ଅନ୍ୟ ସ୍ଥାନରେ ବଜ୍ରାଘାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୭ଜଣ ଶିଶୁ ଥିବା ସୂଚନା ମିଳିଛି । ରାଜ୍ୟରେ ମୋଟ ୨୩ ଜଣଙ୍କ ବଜ୍ରାଘାତରେ ମୃତ୍ୟୁବରଣ କରିଥିବାବେଳେ ୨୫ଜଣ ଆହତ ହୋଇଛନ୍ତି ।

ସେପଟେ ଉତ୍ତର ପ୍ରଦେଶରେ ବଜ୍ରାଘାତରେ ୪୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । କେବଳ ପ୍ରୟାଗରାଜରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ୧୬ଟି ଜିଲ୍ଲାରେ ୪୧ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅନେକ ଚାଷୀ ରହିଛନ୍ତି । ଯେଉଁମାନେ ନିଜ ଜମିରେ ଚାଷ କାମ କରୁଥିଲେ । କେବଳ ସେତିକି ନୁହେଁ ୨୫୦ ଗୃହପାଳିତ ପଶୁ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଜ୍ରାଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସେପଟେ ବଜ୍ରାଘାତରେ ଝାଡଖଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଲକ୍ଷର ଆର୍ଥିକ ସହାୟତା ଏବଂ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।