ଭାରତରେ ଗତ ୧୦ ଦିନ ମଧ୍ୟରେ ୧୧ ଲକ୍ଷ ନୂଆ ସଂକ୍ରମିତ । ଅକ୍ଟୋବର ପରେ ସବୁଠାରୁ ଅଧିକ ମୃତ

78

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟାନକ ହେବାରେ ଲାଗିଛି । ଯାହର ଅନୁମାନ ଲଗାଇବା ବି ମୁସ୍କିଲ ହୋଇଛି    । ଏବେ ଦେଶରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହୁଛି । କରୋନାର ଦ୍ୱିତୀୟ ଲହର ଏଭଳି ଭୟାନକ ସ୍ଥିତି ସୃଷ୍ଟି କରିଛି କି ଗତ ୧୦ ଦିନ ମଧ୍ୟରେ ଦେଶରେ ୧୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଚିନ୍ତାର ବିଷୟ ଯେ, ନୂଆ ସଂକ୍ରମିତ ବଢିବା ସହ ମୃତ୍ୟୁହାର ବି ବଢିବାରେ ଲାଗିଛି । ଦେଶରେ ଅକ୍ଟୋବର ୨୦ ପରେ ଏବେ ସବୁଠାରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଛି ।

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୯ ହଜାର ୯୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା କଥା ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ ରେ ପହଂଚିଛି   । ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୭୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୪୨ କୁ ବୃଦ୍ଧି ପାଇଛି । ସେହିଭଳି ଫେବୃଆରୀ ୧୨ ତାରିଖରେ ମୋଟ ଆକ୍ଟିଭ୍ କେସ ୧ ଲକ୍ଷ ୩୫ ହଜାର ୯୨୬ ଥିବା ବେଳେ ଏକମାସ ଠୁ କମ୍ ସମୟରେ ଏହା ବୃଦ୍ଧି ପାଇ ୯ ଲକ୍ଷ ୭୯ ହଜାର ୬୦୮ ରେ ପହଂଚିଯାଇଛି ।

ଯଦି ମାର୍ଚ୍ଚ ୩୧ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟାକୁ ହିସାବ କରାଯିବ ତେବେ, ୩୧ ମାର୍ଚ୍ଚ ୫୩,୪୮୦, ୧ ଏପ୍ରିଲ ୭୨,୩୩. ୨ ଏପ୍ରିଲ ୮୧,୪୬୬, ୩ ଏପ୍ରିଲ ୮୯,୧୨୯ , ୪ ଏପ୍ରିଲ ୯୩,୨୪୯ , ୫ ଏପ୍ରିଲ ୧,୩୫୫୮ , ୬ ଏପ୍ରିଲ ୯୬,୯୮୨ , ୭ ଏପ୍ରିଲ ୧,୧୫, ୭୩୬, ୮ ଏପ୍ରିଲ ୧,୨୬,୭୮୯ , ୯ ଏପ୍ରିଲ ୧,୩୧,୯୬୮ ।

ଏହି ପରିସଂଖ୍ୟାନକୁ ନଜର କଲେ ପୂର୍ବ ୧୧ ଦିନ ମଧ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୮୯୮ ରେ ପହଂଚିଯାଇଛି । ସେହିଭଳି ଏହି ୧୧ ଦିନ ମଧ୍ୟରେ ୫ ହଜାର ୭୯୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

କହିରଖୁ କି ଏଭଳି ସଂକ୍ରମଣ ଫଳରେ ଏବେ ସଂକ୍ରମିତଙ୍କ ତାଲିକାରେ ବିଶ୍ୱରେ ତୃତୀୟ ସ୍ଥାନରେ ପହଂଚିଛି ଭାରତ । ୩.୧୬ କୋଟି ମାମଲା ସହିତ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ୧.୩୨ କୋଟି ମାମଲା ସହ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି ।