କନକ ବ୍ୟୁରୋ : ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ୧୨ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

Advertisment

ସୂଚନା ଅନୁସାରେ, ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାତ୍ରୀବାହି ବସ୍ ରାଜସ୍ଥାନ ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର କହିବା ଅନୁସାରେ, ବସର ପଛପଟେ କିଛି ଯାତ୍ରୀ ଛିଡା ହୋଇ ଯାତ୍ରା କରୁଥିଲେ । ଅଚାନକ ଟ୍ରକ୍ ଆସି ବସକୁ ଧକ୍କା ଦେଇଥିଲା । ଯେଉଁ ଯାତ୍ରୀମାନେ ପଛରେ ଛିଡା ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଇଥିବାବେଳେ ଅନେକ ଯାତ୍ରୀ ଗୁରୁତ ଆହତ ହୋଇଛନ୍ତି ।

ତେବେ ଏହି ଦୁର୍ଘଟଣାକୁ ନେଇ ଦୁଖଃପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଦୁଃଖପ୍ରକାଶ କରି ଲେଖିଛନ୍ତି, ଏହି ଦୁର୍ଘଟଣା ଖବର ମତେ ଗଭୀର ଆଘାତ ଦେଇଛି । ଶୋକ ସଂତପ୍ତ ପରିବାରକୁ ମୁଁ ସମବେଦନା ଜଣାଉଛି । ଆହତ ହୋଇଥିବା ଯାତ୍ରୀ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି ।