ମେଡିକାଲରେ ଅକ୍ସିଜେନ ପହଂଚିବାରେ ହୋଇଗଲା ସାମାନ୍ୟ ଡେରି । ଚାଲିଗଲା ୧୧ ଜଣ କରୋନା ସଂକ୍ରମିତଙ୍କ ଜୀବନ ।

279

କନକ ବ୍ୟୁରୋ : ଏବେ ଦେଶରେ କରୋନା ଠାରୁ ଅଧିକ କଲବଲ କରୁଛି ଅକ୍ସିଜେନର ଅଭାବ । ଚାରିଆଡେ ଅକ୍ସିଜେନ ସଂକଟକୁ ନେଇ ହାହାକାର ପଡିଥିବା ବେଳେ ପୁଣି ଏକ ଦୁଖଦ ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ । ଏଠାରେ ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ ପଡିବାରୁ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଆନ୍ଧ୍ର ପ୍ରଦେଶର ତିରୁପତି ନିକଟରେ ଥିବା ଶ୍ରୀ ଭେଙ୍କେଟେଶ୍ୱର ରାମନାରାୟଣ ରୁହିୟା ସରକାରୀ ହସ୍ପିଟାଲରେ ସୋମବାର ଦିନ ଏଭଳି ଘଟଣା ଘଟିଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ହରି ନାରାୟଣ । ତାଙ୍କ ସୂଚନା ମୁତାବକ ଅକ୍ସିଜେନ ଅଭାବରୁ ରୁହିୟା ସରକାରୀ ହସ୍ପିଟାଲରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ କହିଛନ୍ତି କି ତିରୁପତି, ଚିତ୍ତୁର, ନେଲୋର ଓ କଡାପା ହସ୍ପିଟାଲରେ ପାଖା ପାଖି ୧ ହଜାର କରୋନା ସଂକ୍ରମିତଙ୍କର ଚିକିତ୍ସା ଚାଲିଛି ।

ରୁହିୟା ସରକାରୀ ହସ୍ପିଟାଲର ଅଧିକାରୀଙ୍କ ସୂଚନା ମୁତାବକ ସୋମବାର ୮.୩୦ ମିନିଟ ସମୟରେ ମେଡିକାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା । ଅକ୍ସିଜେନ ସପ୍ଲାଏ ପୁଣି ଆରମ୍ଭ କରିବା ମଧ୍ୟରେ ୧୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ମୃତକଙ୍କ ପରିବାର ଲୋକ ମେଡିକାଲ ଭିତରେ ହଙ୍ଗାମା କରିଥିଲେ । ଆଇସିୟୁ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଏସବୁ ଦେଖି ଆଇସିୟୁରେ ଥିବା ଡାକ୍ତର ଓ ନର୍ସ ମେଡିକାଲ ଛାଡି ପଳାଇ ଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ସେମାନେ ଫେରିଥିଲେ ।