ଏରସମା ବନ୍ଧ କାମରେ ୧୧ କୋଟି ଚଳୁ ଉଦ୍ୟମ : କାମ ସରିନି, ଭୁଶୁଡ଼ିଲାଣି ସୁନାମି ବନ୍ଧ

97

କନକ ବ୍ୟୁରୋ : ନଜର ଆଡ଼ୁଆଳରେ କେମିତି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ତାର ସଦ୍ୟ ଉଦାହରଣ ଏରସମା ବ୍ଳକ୍‌ର ବନ୍ଧ ନିର୍ମାଣ କାମ ଦୁର୍ନୀତିରୁ ସ୍ପଷ୍ଟ ହେଉଛି । ଏରସମା ସୁନାମି ପ୍ରତିରୋଧ ବନ୍ଧନିର୍ମାଣ ନାମରେ ୧୧ କୋଟିରୁ ଅଧିକ ଟଙ୍କା ଚଳୁ କରିବା ପାଇଁ ଚାଲିଛି ମସୁଧା। ଠିକାଦାର–ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ମନମୁଖୀ ଭାବେ ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇ ର-ଠ କାମ କରାଯାଉଛି । କାମ ଏତେ ନିମ୍ନମାନର ହେଉଛି ଯେ ନସରୁଣୁ ବନ୍ଧ ଭାଙ୍ଗି ଗଲାଣି ।

ସୁନାମି ବନ୍ଧ ସୁଦୃଡ଼ ନଥିବାରୁ ୧୯୯୯ ମସିହା ମହାବାତ୍ୟାରେ ସମୁଦ୍ର ପାଣି ମାଡ଼ି ଆସି ଏରସମାରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଆମ୍ବିକି ପଂଚାୟତ କାଙ୍କଣ ନିକଟରେ ବର୍ତ୍ତମାନ ଯେଉଁ ଠାରେ କାମ କରାଯାଉଛି ମହାବାତ୍ୟାରେ ସେଠାରେ ଘାଇ ସୃଷ୍ଟି ହୋଇ ଯିବାରୁ କେବଳ କାଙ୍କଣ ଗାଁରେ ୨୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏ ଲୋକମାନଙ୍କ ଅବସ୍ଥା ଏବେ ବି ସୁଧୁରି ନାହିଁ । ସେତେବେଳ ଭଳି ଏବେ ଏମାନେ ନୂଆଣିଆଁ ଚା ଘରେ ରହୁଛନ୍ତି । ବର୍ଷା ପବନ ଆସିଲେ ଛାତିରେ ଛନକା ପଶେ । ତେବେ ସମୁଦ୍ର ଠାରୁ କିଛି ଦୂରରେ ସୁନାମି ବନ୍ଧ କରି ସମୁଦ୍ର ଜୁଆରକୁ ପ୍ରତିରୋଧ କରିବାକୁ ପଦକ୍ଷେପ ନିଆଯାଉଛି। ଏହି ପ୍ରୋଜେକ୍ଟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବନ୍ଧ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

କାଙ୍କଣ ନିକଟରେ ହେଉଥିବା ସୁନାମି ବନ୍ଧର କୌଣସି ଫଳକ ଲଗାଯାଇ ନାହିଁ । କେତେ ଟଙ୍କାର କାମ ହେଉଛି । କିଏ କାମ କରୁଛି । କେବେ ଆରମ୍ଭ ଓ କେବେ କାମ ସରିବ । କେମିତି କାମ କରାଯିବ ତାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ଲଗାଯାଇ ନାହିଁ। ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖି ଠିକାଦାର କାମ କରୁଛନ୍ତି । ତେବେ ମାଟିରେ ଉଚ୍ଚ ଓ ଚଉଡା ବନ୍ଧ କରିବା ସହ କଡ଼ରେ ପଥର ତାର ଜାଲି ଦେଇ ସିନ୍ଥେଟିକ୍ ୱାଲ୍ କରିବାର ବ୍ୟବସ୍ଥା ରହିଥିବା ଜଣା ପଡ଼ିଛି । କିନ୍ତୁ ଠିକାଦାର ବାବୁ ଯେଉଁଠି ବନ୍ଧ ହୋଇଛି ଠିକ୍ ୩ ମିଟର ନିକଟରୁ କେବଳ ବାଲି ଖୋଳି ଆଣି ବନ୍ଧ କରିଛନ୍ତି । ଅସରାଏ ବର୍ଷା ହେଲେ ପୁଣି ବାଲି ଯାଇ ବନ୍ଧ ତଳେ ମିଶୁଛି ।

ବଡ଼ ବଡ଼ ପଥର ସହ ଜୁଆର ଓ ଲୁଣି ପାଣିରେ ନଷ୍ଟ ହେଉନଥିବା ତାର ଲଗାଯିବା କଥା । ହେଲେ ଛୋଟ ପଥରକୁ ଅତି ସରୁ ଓ ନିମ୍ନମାନର ତାର ଲଗାଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବନ୍ଧ ଭୁଶୁଡ଼ି ଯାଇଛି । ଏହାକୁ ନେଇ କେତେକ ସ୍ଥାନୀୟ ଯୁବକ ବିରୋଧ କରିବାକୁ ସେମାନଙ୍କୁ ଗୁଣ୍ତା ଲଗାଇ ଧମକଚମକ ଦିଆଯାଇଛି । ଏମିତିକି କାମ ହେଉଥିବା ସମୟରେ ନିର୍ଦ୍ଦିଷ୍ଟ କେତେ ଜଣଙ୍କ ନିକଟରେ ବନ୍ଧୁକ ରହିଥିବା ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ସାଧାରଣ ଲୋକଙ୍କୁ ଡରାଇ ଦମକାଇ ସେମାନଙ୍କ ସ୍ୱରକୁ ଚାପି ଦେଇ ବଳ ପୂର୍ବକ ଭାବେ  କାମ କରାଯାଉଛି । ଏନେଇ ଜଳ ସମ୍ପଦ ବିଭାଗ କଟକ ମହାନଦୀ ସାଉଥ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ ସଫେଇ ଦେଇ କହିଛନ୍ତି ଯେ, ୬ କିମି ସୁନାମି ବନ୍ଧ ପାଇଁ ୧୧ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ କାମ ସରିନାହିଁ । ପ୍ରକୃତରେ ସେଠାରେ କାମ କରିବା ସମସ୍ୟା ହେଉଛି । ଗୋଟିଏ ଥର ବର୍ଷା ହେଲେ କାମ କରି ହେଉ ନାହିଁ । ପାଖରେ ମାଟି ନଥିବାରୁ ମାଟି ମିଳୁନାହିଁ । ତଥାପି ଆମ ନିକଟରେ ଅଭିଯୋଗ ପହଞ୍ଚିଛି । ଆମେ କଡ଼ା ନଜର ରଖିଛୁ । ୬ ମାସ ହେବ ଏସ୍‌ଡିଓ ନଥିବାରୁ ସମସ୍ୟା ହୋଇଛି ।

ନଭେମ୍ବର ଶେଷ ବେଳକୁ କାମ ଆରମ୍ଭ ହେବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଏସ୍‌ଡିଓ ନଥିଲେ ଅନ୍ୟ ଅଧିକାରୀ କାହିଁକି ଯାଞ୍ଚ କଲେ ନାହିଁ ? କୋଟି କୋଟି ଟଙ୍କାର କାମକୁ କେମିତି ଓ କେଉଁ ସ୍ବାର୍ଥରେ ଠିକାଦାର ମର୍ଜିରେ ଛାଡ଼ି ଦେଲେ । ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ନଚେତ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବି ଲୋକଙ୍କ ଜୀବିକା ଜୀବନ ସେମିତି ଅସୁରକ୍ଷିତ ହୋଇ ରହିଯିବ ।