କର୍ଣ୍ଣାଟକ ନାଟକର ନୂଆ ଅଧ୍ୟାୟ । ଇସ୍ତଫା ଦେଲେ ୧୧ ବିଧାୟକ, ଭାଙ୍ଗିଯାଇପାରେ କୁମାରସ୍ୱାମୀ ସରକାର? ବିଜେପି ପାଇଁ ବଡ ସୁଯୋଗ ।

204

କନକ ବ୍ୟୁରୋ: କର୍ଣ୍ଣାଟକରେ ବଢୁଛି ସଙ୍କଟ । ଭାଙ୍ଗିଯାଇପାରେ କର୍ଣ୍ଣାଟକର କଂଗ୍ରେସ- ଜେଡିଏସ ସରକାର । କଂଗ୍ରେସର ୮ ଓ ଜେଡିଏସର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମ୍ୟାଜିକ ନମ୍ବର ହରାଇଛି କୁମାରସ୍ୱାମୀ ସରକାର । ଆଉ କୁମାରସ୍ୱାମୀଙ୍କ ସରକାର ଉପରେ ସଙ୍କଟ ମାଡି ଆସୁଥିବା ବେଳେ କର୍ଣ୍ଣାଟକରେ ପୁଣିଥରେ ପଦ୍ମ ଫୁଟିବା ନେଇ ଆଶା ସଞ୍ଚାର ହୋଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବା ବେଳେ ରାଜ୍ୟରେ ଏଭଳି ରାଜନୈତିକ ସଙ୍କଟ ଦେଖା ଦେଇଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଧାୟକମାନେ ଇସ୍ତଫା ଦେବା ଫଳରେ ସରକାରର ସଂଖ୍ୟା ଗରିଷ୍ଠତା ଉପରେ ସଙ୍କଟ ଆସିଛି । ତେବେ ବିଧାୟକ ମାନେ ଇସ୍ତଫା ଦେବା ଖବର ସାମ୍ନାକୁ ଆସିବା ପରେ କୁମାରସ୍ୱାମୀ ଆସନ୍ତାକାଲି ସୁଦ୍ଧା ବାଙ୍ଗାଲୋରରେ ପହଞ୍ଚିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସର ୮୦ ଓ ଜେଡିଏସର ୩୭ ବିଧାୟକଙ୍କୁ ନେଇ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ କୁମାରସ୍ୱାମୀ । ତେବେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ ଏବେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ପଡିଛି । କାରଣ ପୂôର୍ବରୁ କଂଗ୍ରେସର ୨ ବିଧାୟକ ଇସ୍ତଫା ଦେଇଥିଲେ ଆଉ ଜଣେ ବିଧାୟକଙ୍କୁ ବହିଷ୍କାର କରିଥିଲା ଦଳ । ଯାହା ଫଳରେ କୁମାରସ୍ୱାମୀ ସରକାରର ନମ୍ବର ୧୧୪କୁ ଖସି ଆସିଥିଲା । ମାତ୍ର ଏବେ ୧୧ ଜଣ ବିଧାୟକ ଏକାସଙ୍ଗରେ ଇସ୍ତଫା ଦେଇଥିବା ବେଳେ ଏହା କୁମାରସ୍ୱାମୀ ସରକାରକୁ ସଙ୍କଟକୁ ଠେଲି ଦେଇଛି । ୧୧ ଜଣ ବିଧାୟକ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ମ୍ୟାଜିକ ନମ୍ବର ହରାଇଛି । ଗୃହରେ ଦଳର ସଦସ୍ୟ ସଂଖ୍ୟା ୧୦୩ରେ ପହଞ୍ଚିଛି । ଆଉ ଏହାସହ କର୍ଣ୍ଣାଟକରେ ଏବେ ବିଜେପି ୧୦୫ ବିଧାୟକଙ୍କ ସହ ବଡ ଦଳ ଭାବେ ଉଭା ହୋଇଛି । ତେବେ ଆଗାମୀ ଦିନରେ କର୍ଣ୍ଣାଟକ ନାଟକ କେଉଁ ଆଡକୁ ଗତି କରୁଛି ତାହା ଦେଖିବା ବାକି ରହିଲା ।