ଦିନକ ପରେ ଆରମ୍ଭ ହେବ ବିଶ୍ୱକପ୍ ଲଢେଇ । ଆଜି ଭାରତର ଶକ୍ତି ପରୀକ୍ଷା, ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ବିରାଟ ବାହିନୀ ।

110

କନକ ବ୍ୟୁରୋ : ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଦିନକ ପରେ ଅର୍ଥାତ ମେ’ ମାସ ୩୦ ତାରିଖରୁ ଆରମ୍ଭ ହେବ ସବୁଠୁ ବଡ ଟକ୍କର । ବିଶ୍ୱ ଦେଖିବ କ୍ରିକେଟ୍ ମହାକୁମ୍ଭ । ୨୦୧୯ ବିଶ୍ୱକପ୍ କ୍ରିକେଟ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ କଡା ମୁକାବିଲା । ତେବେ ବିଶ୍ୱକପ ପୂର୍ବରୁ ଚାଲିଛି ଅଭ୍ୟାସ ମ୍ୟାଚ୍ । ଆଉ ଆଜି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ । ପ୍ରଥମ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ବିରାଟ ବ୍ରିଗେଡ୍ ।

ବିଶ୍ୱକପ ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବାର କ୍ରୀଡାସୂଚୀ ରହିଥିଲା । ତେବେ ପ୍ରଥମ ମ୍ୟାଚରେ ଦଳ ପରାସ୍ତ ହୋଇଥିବାରୁ ଆଜି ମ୍ୟାଚଟି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । କୁହାଯାଉଛି, ଏହି ଅଭ୍ୟାସ ମ୍ୟାଚ୍ ବିଶ୍ୱକପ ପୂର୍ବରୁ ଭାରତର ଶକ୍ତି ପରୀକ୍ଷା ଭଳି ଅଟେ । ଆଜି ଦ୍ୱିତୀୟ ତଥା ଭାରତ ପାଇଁ ଅନ୍ତିମ ଅଭ୍ୟାସ ମ୍ୟାଚ୍ ହୋଇଥିବାରୁ, ଏହି ମ୍ୟାଚ୍ ଜିତି ବିଶ୍ୱକପ ପୂର୍ବରୁ ନିଜ ମନୋବଳକୁ ଦୃଢ କରିବ ଟିମ୍ ଇଣ୍ଡିଆ । ସୋଫିଆ ଗାର୍ଡେନ, କାର୍ଡିଫା ଠାରେ ଅପରାହ୍ନ ୩ଟାରେ ଏହି ମ୍ୟାଚ୍ ଖେଳାଯିବ ।