ପରିବେଶ ସୁରକ୍ଷା ପାଇଁ ଶପଥ ନେଇଛି ବ୍ରହ୍ମପୁରର ସବୁଜ ବାହିନୀ । ଲଗାଇଲେ ୧୦୮ ଔଷଧୀୟ ଗଛ

55

କନକ ବ୍ୟୁରୋ: ଗଛ ଆମ ଜୀବନ, ତାକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ । ଗଛ ବଞ୍ଚିଲେ, ଜୀବ ବଞ୍ଚିବ, ଜଗତ ବର୍ତ୍ତିବ । ଧରାପୃଷ୍ଠରେ ତିଷ୍ଟି ରହିବ ପ୍ରାଣୀକୂଳ । କରୋନା କାଳରେ ନିଶ୍ୱାସ ନିଅଣ୍ଟର ଭୟାବହତା ଦେଖିଛି ସାରା ବିଶ୍ୱ । ଜଳବାୟୁର ଆକସ୍ମିକ ପରିବର୍ତ୍ତନ ପାଇଁ କେମିତି ମହାବିପତ୍ତି ମାଡି ଆସୁଛି ତାକୁ ବି ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛନ୍ତି ବିଶ୍ୱବାସୀ । ଆଉ ଏ ସବୁ ସମସ୍ୟାର ସମାଧାନ ପାଇଁ, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଗୁଣ୍ଡୁଚି ମୂଷାର ଭୂମିକା ନିଭାଇଛି ବ୍ରହ୍ମପୁର ସହରର ସବୁଜ ବାହିନୀ । ଗୋଟିଏ ସ୍ଥାନରେ ୧୦୮ ଗଛ ଲଗାଇ ପୁନଶ୍ଚ ପୃଥିବୀ ଗଢି ତୋଳିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁର ଥିବା ଏକ ହଜ ଚାରିପଟେ ଲାଗିଛି ୧୦୮ ବର ଓ ଓସ୍ତ ଗଛ । ବିରାଟ ଏକ ସ୍ଥାନରେ ପାଣି ଜମି ରହିଥିବା ବେଳେ ପାଣି ପାଖର ଏ ସୁନ୍ଦର ପରିବେଶରେ ବୃକ୍ଷରୋପଣ କରି ସ୍ଥାନଟିକୁ ଅଧିକ ସୁନ୍ଦର କରିବାକୁ ମନସ୍ଥ କରିଥିଲେ ସବୁଜ ବାହିନୀର ସଦସ୍ୟ । ଆଉ ତାପରେ ଜଳାଶୟ ହୁଡାରେ ଲଗାଇଛନ୍ତି ଗଛ । ପରିତ୍ୟକ୍ତ ସ୍ଥାନରେ ପଞ୍ଚବଟି ଗଛ ଲଗାଯାଇଛି ।

ତେବେ ବର, ଅସ୍ତ, ଅଁଳା, ନିମ ଓ ଅଶୋକ ଗଛ ଲଗାଇଯାଇଥିବାରୁ ଲୋକେ ବିଶ୍ୱାସରେ ଭାଙ୍ଗିବେନି କି କେହି ଗଛର କ୍ଷତି କରିବେନି । ସେହି ଭରସାରେ ଏଠାରେ ଏସବୁ ବୃକ୍ଷରୋପଣ କରାଯାଇଛି । ତେବେ ସବୁଜ ବାହିନୀର ୪୦ରୁ ୫୦ ଜଣ ସଦସ୍ୟ ବିଭିନ୍ନ ସବୁଦିନ ବିଭିନ୍ନ ସମୟରେ ଗଛର ଯତ୍ନ ନିଅନ୍ତି । ମାତ୍ର ରବିବାର ଦିନ ତମାମ ଲଗାଯାଇଥିବା ଗଛ ପାଇଁ କାମ କରନ୍ତି । ପାଣି ଦେବା ଠାରୁ ଆରମ୍ଭ କରି ଘାସ ସଫା କରିବା ଯାଏଁ ସବୁ କରନ୍ତି ଏମାନେ ।

ସୁନ୍ଦର ଏକ ପୃଥିବୀ ଗଢିବାକୁ ସମ୍ବାଦ ଡିଜିଟାଲ ପକ୍ଷରୁ ପୁନଶ୍ଚ ପୃଥିବୀର ଏହି ମହତ ଅଭିଯାନରେ ଧିରେ ଧିରେ ସାମିଲ ହେଉଛନ୍ତି ସମସ୍ତେ । ଆଉ ନିଜ ଭବିଷ୍ୟତର ପିଢିକୁ ସୁନ୍ଦର, ସବୁଜ ପୃଥିବୀ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ଆସନ୍ତୁ ଆପଣ ବି ଏ ମହତ ଅଭିଯାନରେ ସାମିଲ ହୁଅନ୍ତୁ ।