କ୍ୱାରେଣ୍ଟାଇନରେ ଗଲେ ଦିଲ୍ଳୀ ଗଙ୍ଗାରାମ ହସ୍ପିଟାଲର ୧୦୮ କର୍ମଚାରୀ । କରୋନା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ଚିକିତ୍ସା ସମୟରେ ସଂସ୍ପର୍ଶରେ ଆସିଥିଲେ ଡାକ୍ତର ଓ ନର୍ସ ।

1,139

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ଗଲେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ୧୦୮ ଜଣ ଡାକ୍ତର ଓ ନର୍ସ । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସୂଚନା ଅନୁସାରେ ଏହି ହସ୍ପିଟାଲକୁ ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିବା ୨ଜଣ ରୋଗୀଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି । ସେମାନଙ୍କ ଦେହରେ ପୂର୍ବରୁ କୌଣସି କରୋନା ପଜିଟିଭ୍ ଲକ୍ଷଣ ଦେଖାଯାଉନଥିଲା । କିନ୍ତୁ ଯେତେବେଳେ ସେମାନଙ୍କ ପରୀକ୍ଷା କରାଯାଇଥିଲା, ତାଙ୍କ ନମୂନାରୁ କରୋନା ପଜିଟିଭ୍ ବାହାରିଥିଲା ।

କୁହାଯାଉଛି ସେମାନଙ୍କ ସଂସ୍ପର୍ଶରେ ୧୦୮ଜଣ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ଆସିଥିଲେ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତଙ୍କୁ କ୍ୱାରେନଟାଇନରେ ପଠାଇ ଦେଇଛନ୍ତି କର୍ତ୍ତୃପକ୍ଷ । ୧୦୮ଜଣଙ୍କ ମଧ୍ୟରୁ ୨୩ଜଣଙ୍କୁ ହସ୍ପିଟାଲରେ ଓ ୮୫ଜଣଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏହା ପୂର୍ବରୁ ରାମମନୋହର ଲୋହିଆ ମେଡିକାଲର ଡାକ୍ତର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେନଟାଇନରେ ପଠାଇ ଦିଆଯାଇଥିଲା ।