୧୦୮ କର୍ମଚାରୀଙ୍କ ବେପରୁଆ ମନୋଭାବ, ଅଧାବାଟରେ ଅକ୍ସିଜେନ ସରିଯିବାରୁ ରୋଗୀ ମୃତ । ଘଟଣାର ତଦନ୍ତ ହେବ ବୋଲି କହିଲା ପ୍ରଶାସନ

22

କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ପ୍ରକୃତ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ଖବର କାହା ପାଖରେ ନାହିଁ । ମିଳିଥିବା ସୂଚନା ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବେପାରୁଆ ମନୋଭାବ ପାଇଁ ଜଣେ ରୋଗୀଙ୍କ ପ୍ରାଣ ଚାଲିଯାଇଛି । ତେବେ ଏପରି ଘଟଣା ଘଟିଛି ଭବାନୀପାଟଣ ଅଞ୍ଚଳରେ । ରୋଗୀମାନଙ୍କ ସୁବିଧା ପାଇଁ ସରକାର ୧୦୮ ଆମ୍ବୁଲାନ୍ସରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଉଛନ୍ତି । ହେଲେ କର୍ମଚାରୀଙ୍କ ବେପାରୁଆ କାମ ପାଇଁ ଅକାରଣେ ଲୋକମାନଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି ।

 

ମିଳିଥିବା ସୂଚନା ଅନୁସାରେ ଜୟପାଟଣାର ଗଗନ ବାଗ ନାମକ ଜଣେ ଯୁବକ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ସକାଳୁ ଜ୍ୱର ହେବାରୁ ତାଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ଭବାନୀପାଟଣାକୁ ରେଫର କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । ଜୟପାଟଣା ମେଡିକାଲରୁ ମାତ୍ର ୬ କିଲୋମିଟର ଯିବା ପରେ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ଶେଷ ହୋଇ ଯାଇଥିଲା ।

ଜୟପାଟଣାରୁ ଭବାନୀପାଟଣା ୮୦ କିଲୋମିଟରର ଯାତ୍ରା ହୋଇଥିବାବେଳେ ମେଡିକାଲରେ ପହଂଚିବା ପୂର୍ବରୁ ହିଁ ଅକ୍ସିଜେନ ଅଭାବରୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ତେବେ ଏହି ଘଟଣା ନେଇ ତନାଘନା ଆରମ୍ଭ ହୋଇଛି । ଘଟଣାକୁ ନେଇ ମେଡିକାଲରେ ଉତେଜନା ମଧ୍ୟ ପ୍ରକାଶ ପାଇଛି । କେବଳ ଭବାନୀପାଟଣା ନୁହେଁ ବରଂ ଅନେକ ସ୍ଥାନରେ ଏପରି ଘଟଣା ଘଟୁଥିବା ଅଭିଯୋଗ ହେବାରେ ଲାଗିଛି । ତେଣୁ ସରକାର ଲୋକମାନଙ୍କ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ତାହା ସଠିକ ଭାବରେ କାମ କରୁଛି କି ନାହିଁ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବୀ ହେଉଛି ।