ବୟସ ଆସି ଛୁଇଁଲାଣି ୧୦୭ । ହେଲେ ଖେଳ ପ୍ରତିଯୋଗିତାରେ ଭାଗ ନେଇ ବୃଦ୍ଧା ଜିତିଲେ ୨ ସ୍ୱର୍ଣ୍ଣପଦକ । ଜାଣନ୍ତୁ, କେଉଁଠି ଘଟିଲା ଏମିତି ଘଟଣା…

82

କନକ ବ୍ୟୁରୋ: ବୟସ ଆସି ଛୁଇଁଲାଣି ୧୦୭ ବର୍ଷ । ହେଲେ ଏ ବୟସରେ ଖେଳ ପ୍ରତିଯୋଗିତାରେ ଭାଗ ନେବା ସହିତ ୨ ସ୍ୱର୍ଣ୍ଣପଦକ ଜିତିଛନ୍ତି ଜଣେ ମହିଳା । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ହରିୟାଣାର ୧୦୭ ବୟସ୍କ ବୃଦ୍ଧା ରାମବାଇ ଏହି କମାଲ କରି ଦେଖାଇଛନ୍ତି । ନ୍ୟାସନାଲ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପରେ ୨ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି ୧୦୭ ବର୍ଷୀୟ ଏହି ବୃଦ୍ଧା ।

ଅସଲ କଥା ହେଉଛି, ହାଇଦ୍ରାବାଦରେ ଗତ ଫେବ୍ରୁଆରୀ ୮ ତାରିଖରୁ ଆରମ୍ଭ ହେଇଛି ନ୍ୟାସନାଲ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିୟନସିପ୍ । ଯାହାକି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ପ୍ରତିଯୋଗିତାରେ ହରିୟାଣାର ଏହି ବୃଦ୍ଧା ଭାଗ ନେବା ସହିତ ୧୦୫ ବର୍ଷରୁ ଅଧିକ ବର୍ଷର ଆୟୁ ବର୍ଗରେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣପଦକ ଜିତିଛନ୍ତି । ଡିସକସ୍ ଥ୍ରୋ ଏବଂ ସଟ୍-ପୁଟ୍ ଥ୍ରୋରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ରାମବାଇ ।

ଖାଲି ସେତିକି ନୁହେଁ, ରାମ ବାଇଙ୍କ ସାନ ଝିଅ ୬୫ ବର୍ଷୀୟ ସନ୍ତରା ଦେବୀ ମଧ୍ୟ ୧୫୦୦ ମିଟର ରେସରେ ରୌପ୍ୟ ପଦକ ଜିତିଛନ୍ତି । ଏହାସହ ସଟ୍-ପୁଟ୍ ଥ୍ରୋରେ ବ୍ରୋଞ୍ଜ ମେଡାଲ ଏବଂ ୫ କିଲୋମିଟର ଚାଲିବା ରେସରେ ମଧ୍ୟ ସେ ରୌପ୍ୟ ପଦକ ଜିତିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ଫେବ୍ରୁଆରୀ ୧୧ ତାରିଖରେ ରାମବାଇ ୧୦୦ ମିଟର ରେସରେ ମଧ୍ୟ ଦୌଡିବେ । ଯେଉଁଠି ତାଙ୍କୁ ଟକ୍କର ଦେବେ ଅନ୍ୟ ଖେଳାଳି ।