୧୦୬ ବର୍ଷର କରୋନା ଯୋଦ୍ଧା । ୧୯୧୮ରେ ସ୍ପାନିସ ଫ୍ଲୁରୁ ବର୍ତ୍ତି ଯାଇଥିଲେ ସ୍ପେନ ମହିଳା, ୨୦୨୦ରେ ମହାମାରୀ କରୋନାକୁ କଲେ ପରାସ୍ତ, ଜୀବନରେ ଦୁଇ ଦୁଇଟି ମାରାତ୍ମକ ଭୂତାଣୁକୁ ଦେଲେ ମାତ୍ ।

719

କନକ ବ୍ୟୁରୋ: ୧୯୧୮ରେ ବିଶ୍ୱ ଦେଖିଥିବା ମହାମାରୀ ସ୍ପାନିସ ଫ୍ଲ୍ୟୁ ସହ ଲଢେଇ କରିଥିଲେ ଆଉ ଏବେ ୨୦୨୦ରେ ମାରାତ୍ମକ କରୋନା ଭୂତାଣୁ କୁ ମଧ୍ୟ ମାତ୍ ଦେଇଛନ୍ତି । ଏମିତି ଜଣେ ମହିଳାଙ୍କ କାହାଣୀ ଯିଏ ନିଜ ୧୦୬ ବର୍ଷର ଜୀବନ କାଳରେ ଦୁଇ ଦୁଇ ଥର ମାରାତ୍ମକ ରୋଗକୁ ହରାଇ ପାରିଛନ୍ତି ।

ଇଏ ହେଉଛି ଖୁସିର ସେହି ମୁହୂର୍ତ । ହସ୍ପିଟାଲ କର୍ମଚାରୀ ତାଳି ବଜାଇ ସମ୍ମାନ ଜଣାଉଛନ୍ତି ଜଣେ ବୃଦ୍ଧାଙ୍କୁ । ଏହି ବୃଦ୍ଧା ଜଣଙ୍କ କୌଣସି ସାଧାରଣ ମହିଳା ନୁହଁନ୍ତି । କୋଭିଡ୍-୧୯ ମହାମାରୀକୁ ମାତ୍ ଦେଇଥିବା ୧୦୬ ବର୍ଷୀୟ ବୃଦ୍ଧା । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ସ୍ପେନ୍ର ଆନା-ଡେ-ଭାଲେ । ଭଗବାନଙ୍କ ଚମକ୍ରାରିତାରୁ ୧୦୬ ବର୍ଷ ବୟସରେ ବି କରୋନା ଭୂତାଣୁକୁ ହରାଇ ପାରିଛନ୍ତି ଏହି ମହିଳା । ଖାଲି କରୋନା ଭୂତାଣୁ ନୁହେଁ ୧୯୧୮ ମସିହାରେ ସ୍ପାନିସ୍ -ଫ୍ଲୁ ମହାମାରୀରୁ ମଧ୍ୟ ବର୍ତ୍ତି ପାରିଥିଲେ ଆନା ।

ସ୍ପାନିସ୍ ଫ୍ଲୁ ଏକ ମାରାତ୍ମକ ଥଣ୍ଡା-ସର୍ଦ୍ଦି ରୋଗ ଯାହା ମହାମାରୀର ରୂପ ନେଇଥିଲା । ଜାନୁୟାରୀ ୧୯୧୮ରୁ ଡିସେମ୍ବର ୧୯୨୦, ପ୍ରାୟ ୩୬ ମାସ ଧରି ଏହି ମାରାତ୍ମକ ଭୂତାଣୁ ସକ୍ରିୟ ରହିଥିଲା । ଯେଉଁଥିରେ ବିଶ୍ୱର ୫୦ କୋଟି ଲୋକ ପ୍ରଭାବିତ ହୋଇଥିଲେ ।

ମାରାତ୍ମକ ସ୍ପାନିଶ-ଫ୍ଲୁ ଯେତେବେଳେ ସକ୍ରିୟ ଥିଲା ସେତେବେଳେ ଆନାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା । ସେହି ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଆନା । ଯେଉଁଠି ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିଲେ, ମାତ୍ର ଆନା କିନ୍ତୁ ଏହି ମାରାତ୍ମକ ରୋଗକୁ ହରାଇ ପାରିଥିଲେ । ଆଉ ଏବେ ୧୦୨ ବର୍ଷ ପରେ ବି ଆଉ ଏକ ମହାମାରୀ କବଳରୁ ନିଜକୁ ବଂଚାଇ ପାରିଛନ୍ତି ।

ସ୍ପେନ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆନାଙ୍କ ଜନ୍ମ ଅକ୍ଟୋବର ୧୯୧୩ରେ ହୋଇଥିଲା । ଆଉ ୫ ବର୍ଷ ବୟସରେ ସେ ସ୍ପାନିସ ମହାମାରୀରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କୋଭିଡ୍-୧୯ରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଆନା ଗତ କିଛି ଦିନ ତଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଖାଲି ଆନା ହିଁ ନୁହଁନ୍ତି ସ୍ପେନ୍ର ୧୦୧ ବର୍ଷୀୟ ଅନ୍ୟ ଦୁଇଜଣ ବୃଦ୍ଧା ମଧ୍ୟ କରୋନା ଭୂତାଣୁକୁ ମାତ୍ ଦେଇ ସୁସ୍ଥ ହୋଇପାରିଛନ୍ତି ।