କନକ ବ୍ୟୁରୋ : ବାତ୍ୟା ଫୋନିରେ ଭୁବନେଶ୍ବର ତହସିଲ ଅଧୀନରେ ୧୮୩ଟି ଗାଁରେ ମୋଟ୍ ୧୩୨୫୬ଟି ଘର ଭାଙ୍ଗିଥିବା ତହସିଲଦାର ଗତ ୧୦ତାରିଖରେ ରିପୋର୍ଟ ଦେଇଛନ୍ତି । ଏଥିରେ ୧୩୭୯ଟି ଛାତଘର ଭାଙ୍ଗିଥିବା ରିପୋର୍ଟ ଦିଆଯାଇଥିବାବେଳେ ସହର ଭିତରେ ୬୩୭ଟି ବେସରକାରୀ ଘର ଆଂଶିକ ଭାଙ୍ଗିଛି, ଗୋଟିଏ ଘର ସଂପୂର୍ଣ୍ଣ ଭାଙ୍ଗିଛି । ହେଲେ ସରକାରୀ କୋଠାବାଡ଼ି କ୍ଷୟକ୍ଷତି ନେଇ ପୂର୍ତ୍ତ ବିଭାଗ ଯେଉଁ ରିପୋର୍ଟ ଦେଇଛି ସେଥିରୁ ଜଣାପଡ଼ୁଛି ଯେ, ବାତ୍ୟାରେ ସରକାରୀ ସଂସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ପୂର୍ତ୍ତ ବିଭାଗର ରିପୋର୍ଟ ଅନୁଯାୟୀ, ରାଜଧାନୀରେ ୫୩୮ଟି ସରକାରୀ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୦,୩୩୦ଟି ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି । ଏପରିକି ବେସରକାରୀ ଘର ଭଙ୍ଗା ପାଇଁ ସରକାର ଯେତିକି ସହାୟତା ଦେବାକୁ ଘୋଷଣା କରିଛନ୍ତି ତାର ଶହେ ଗୁଣା ସରକାରୀ କ୍ବାର୍ଟର୍ସକୁ ସଜାଡ଼ିବାକୁ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି । ଯେମିତି ବାତ୍ୟାରେ କେବଳ ସରକାରୀ କ୍ଷୟକ୍ଷତି ଅଧିକ ହୋଇଛି ।
କେବଳ ଭୁବନେଶ୍ବରରେ ୬୬କୋଟି ୭୮ଲକ୍ଷ ୫୦ହଜାର ଟଙ୍କାର ସରକାରୀ କାର୍ଯ୍ୟାଳୟ ନଷ୍ଟ ହୋଇଥିବାବେଳେ ୨୨୯କୋଟି ୪ଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ସରକାରୀ କ୍ବାର୍ଟର୍ସ ନଷ୍ଟ ହୋଇଛି । ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୬୧କୋଟି ୪ଲକ୍ଷ ୫୦ହଜାର ଟଙ୍କା ଏବଂ ୧୮୧କୋଟି ୨୧ଲକ୍ଷ ୩ହଜାର ଟଙ୍କା ମଗାଯାଇଛି । ଏହିପରି ତୁରନ୍ତ ମରାମତି ପାଇଁ ୨୪୨.୨୫କୋଟି ଟଙ୍କା ମଗାଯାଇଛି ।
ରାଜ୍ୟ ସରକାରଙ୍କୁ ପୂର୍ତ୍ତ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଭୁବନେଶ୍ବରର ପୂର୍ତ୍ତ ବିଭାଗ ଡିଭିଜନ-୧ ଅଧୀନରେ ଥିବା କଳ୍ପନା, ରାଜ୍ୟ ସଂଗ୍ରାହାଳୟ, ବିଜେବି କଲେଜ, ସଚିବାଳୟ, ନ ତା’ଲା, ୟୁନିଟ-୨ ଏବଂ ୟୁନିଟ-୩ ଅଞ୍ଚଳରେ ୧୧୬ଟି ସରକାରୀ କାର୍ଯ୍ୟାଳୟ ଭାଙ୍ଗିଥିବାବେଳେ ଏଠାରେ ୬୩ଟି କ୍ବାର୍ଟର୍ସ ଭାଙ୍ଗିଛି । ଏହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟର କ୍ଷତି ରାଜଧାନୀରେ ସର୍ବାଧିକ ୨୮.୦୭କୋଟିର ହୋଇଥିବାବେଳେ କ୍ବାର୍ଟର୍ସ କ୍ଷତି ୩୪କୋଟି ୧୩ଲକ୍ଷ ୧୫ହଜାର ଟଙ୍କାର ହୋଇଛି । ଏହାର ତୁରନ୍ତ ମରାମତି ପାଇଁ ସବୁ ଟଙ୍କା ରିଲିଫ ପାଣ୍ଠି (ଏସ୍ଡିଆରଏଫ୍ ଏବଂ ଡିଆରଏଫ୍)ରୁ ଦେବାକୁ କୁହାଯାଇଛି । ସେହିପରି ପୂର୍ତ୍ତ ବିଭାଗର ଡିଭିଜନ-୨ ଅଧୀନରେ ୟୁନିଟ-୧, ୟୁନିଟ-୬, ଗଙ୍ଗନଗର, ପୁରୁଣା ଭୁବନେଶ୍ବର, ବିମାନବନ୍ଦର ଭଳି ଅଞ୍ଚଳ ଯାଉଥିବାବେଳେ ଏଠାରେ ୧୭୨ଟି ସରକାରୀ କାର୍ଯ୍ୟାଳୟ ଏବଂ ୧୯୧୪ଟି କ୍ବାର୍ଟର୍ସ ଭାଙ୍ଗିଛି । ୧୭୨ଟି ସରକାରୀ କ୍ବାର୍ଟର୍ସରେ ୨୩.୮୯କୋଟିର କ୍ଷୟକ୍ଷତି ହୋଇଥିବାେବଳେ କ୍ବାର୍ଟର୍ସରେ ୪୭କୋଟି ୬୪ଲକ୍ଷ ୯୭ହଜାର ଟଙ୍କା କ୍ଷତି ହୋଇଛି । ଏହି ସବୁର ତୁରନ୍ତ ମରାମତି ଆବଶ୍ୟକ ଥିବାରୁ ଏହାକୁ ରିଲିଫ ପାଣ୍ଠିରୁ ଦେବାକୁ କୁହାଯାଇଛି ।
ଡିଭିଜନ୍-୩ ଅଧୀନରେ ୟୁନିଟ-୮, ରେଣ୍ଟାଲ, ଖଣ୍ଡଗିରି, ବରମୁଣ୍ଡା, ବିଡିଏ (ଚନ୍ଦ୍ରଶେଖରପୁର) ଅଞ୍ଚଳ ଯାଉଥିବାବେଳେ ଏଠାରେ ୧୨୪ଟି ସରକାରୀ କାର୍ଯ୍ୟାଳୟର ୮କୋଟି ୨୦ଲକ୍ଷ ଟଙ୍କାର ଏବଂ ୪୯୨୭ଟି କ୍ବାର୍ଟର୍ସରେ ୬୮କୋଟି ୩୩ଲକ୍ଷ ୫୩ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହାର ତୁରନ୍ତ ମରାମତି ପାଇଁ ଯଥାକ୍ରମେ ୨.୪୬କୋଟି ଏବଂ ୨୦କୋଟି ୫୦ଲକ୍ଷ ୬ହଜାର ଟଙ୍କା ଦେବାକୁ କୁହାଯାଇଛି ।
ଡିଭିଜନ-୪ ଅଧୀନରେ ୧୨୬ଟି ସରକାରୀ କାର୍ଯ୍ୟାଳୟରେ ୬କୋଟି ୬୨ଲକ୍ଷ ଟଙ୍କାର କ୍ଷତି ହୋଇଥିବାବେଳେ ୩୪୨୬ଟି କ୍ବାର୍ଟର୍ସରେ ୭୮କୋଟି ୯୨ଲକ୍ଷ ୮୫ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହାର ମରାମତି ପାଇଁ ସବୁ ଟଙ୍କା ତୁରନ୍ତ ଦେବାକୁ କୁହାଯାଇଛି । ପୂର୍ତ୍ତ ବିଭାଗର ଏହି ରିପୋର୍ଟରେ ଡିଭିଜନ୍-୩ ଅଞ୍ଚଳରେ ଯେଉଁ କ୍ଷୟକ୍ଷତି ହୋଇଛି ସେଥିରୁ କିଛି କାର୍ଯ୍ୟ ପରବର୍ତ୍ତୀ ସମୟରେ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ବାକି ତିନିଟି ଡିଭିଜନ୍ରେ ସମସ୍ତ ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ନିଷ୍ପତ୍ତି ହୋଇଛି । ଏପରିକି ଡିଭିଜନ୍-୫ ଅଧୀନରେ କୌଣସି କ୍ଷୟକ୍ଷତି ହୋଇ ନଥିବା ରିପୋର୍ଟ ଦିଆଯାଇଛି । ବାତ୍ୟାରେ ଏହି ଡିଭିଜନ୍ରେ କିପରି କୌଣସି ସରକାରୀ କାର୍ଯ୍ୟାଳୟ ଏବଂ କ୍ବାର୍ଟର୍ସ କ୍ଷତି ହେଲାନି ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ଏହି ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ କ୍ଷୟକ୍ଷତି ରିପୋର୍ଟ ଦେଇନାହାନ୍ତି ନା ପ୍ରକୃତରେ କ୍ଷୟକ୍ଷତି ହୋଇନି ତାହା ସ୍ପଷ୍ଟ ହୋଇନି । ଭାଙ୍ଗି ଯାଇଥିବା ଏସି ସିଟ୍, ଭୁଶୁଡ଼ି ଯାଇଥିବା ପାଚେରି, ଗଛ ପଡ଼ି ଭାଙ୍ଗି ଯାଇଥିବା ଘରର ଛାତ ଓ କାନ୍ଥ ଏବଂ ପୂର୍ତ୍ତ ବିଭାଗ ବିଭିନ୍ନ କ୍ବାର୍ଟର୍ସରେ ନିର୍ମାଣ କରୁଥିବା ବିଭିନ୍ନ କାର୍ଯ୍ୟକୁ ହିସାବକୁ ନେଇ ଏହି କ୍ଷୟକ୍ଷତି ଆକଳନ ହୋଇଛି । ଏହି ରିପୋର୍ଟରେ ଏତିକି ସ୍ପଷ୍ଟ ହେଉଛି ଯେ, ରାଜଧାନୀରେ ସରକାରୀ କ୍ଷତି ବେସରକାରୀ କ୍ଷତିଠାରୁ ବହୁଗୁଣା ଅଧିକ ।
Follow Us