୧୦୩୧ ମେଡିକାଲକୁ ଧ୍ୱସ୍ତବିଧ୍ୱସ୍ତ କରିଛି ବାତ୍ୟା ଫୋନି ! ବେହାଲ ସ୍ୱାସ୍ଥ୍ୟ ସେବା, ପୁରୀରେ ହୋଇଛି ସର୍ବାଧିକ କ୍ଷତି

୧୦୩୧ ମେଡିକାଲକୁ ଧ୍ୱସ୍ତବିଧ୍ୱସ୍ତ କରିଛି ବାତ୍ୟା ଫୋନି !

152
କନକ ବ୍ୟୁରୋ : ‘ଫନି’ ପ୍ରଭାବରେ ରାଜ୍ୟରେ ୧୦୩୧ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୭୨ଟି ଡାକ୍ତରଖାନା ରହିଛି। ଏହାସହ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ପାଇଁ ୨୮୧ଟି ଭ୍ରାମ୍ୟମାଣ ମେଡିକାଲ ଟିମ୍ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ବାତ୍ୟା ସମୀକ୍ଷା ହୋଇଥିଲା। ଏଥିରେ ବାତ୍ୟା ପରବର୍ତୀ ସ୍ବାସ୍ଥ୍ୟସେବା ନେଇ ଆଲୋଚନା ହୋଇଥିଲା। କ୍ଷତିଗ୍ରସ୍ତ ଡାକ୍ତରଖାନାରେ ମୟୂରଭଞ୍ଜର ୧୩୨, ଖୋର୍ଧାର ୧୩୩, କେନ୍ଦ୍ରାପଡ଼ାରେ ୧୦୦, ଯାଜପୁରରେ ୧୧୧, ଜଗତସିଂହପୁରରେ ୯୯, କଟକରେ ୪୧, ଭଦ୍ରକରେ ୬୫ ଓ ବାଲେଶ୍ବର ଜିଲ୍ଲାରେ ୬୮ଟି ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
source google

ବାତ୍ୟାରେ ପ୍ରଭାବିତ ହୋଇଥିବା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଯେପରି ସ୍ବାସ୍ଥ୍ୟସେବା ତ୍ବରାନ୍ବିତ ହୋଇପାରିବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କ୍ଷତିଗ୍ରସ୍ତ ଜିଲ୍ଲାରେ କାମ କରିବା ପାଇଁ ୫୬ ଡାକ୍ତରଙ୍କୁ ବାହାରୁ ଆଣି ମୁତୟନ କରାଯାଇଛି। ସେହିପରି ୧୩୫ ନର୍ସ ଓ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ୩୭୪ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ୨୮୧ ଭ୍ରାମ୍ୟମାଣ ମେଡିକାଲ ଟିମ୍ ମଧ୍ୟ କାର୍ଯ୍ୟ କରୁଛି। ବାତ୍ୟା ପୂର୍ବରୁ ୧୨୩୯ ଜଣ ଗର୍ଭବତୀଙ୍କୁ ହସ୍ପିଟାଲ ଓ ମା’ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଭିନ୍ନ ଗାଁରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ୯୦୮୭ ଆଶାକର୍ମୀଙ୍କୁ ନିଯୁକ୍ତ କରାଯାଇଛି।

ବାତ୍ୟାଞ୍ଚଳରେ ଏ ପର୍ଯ୍ୟନ୍ତ କୌଣସି ମହାମାରୀ ଦେଖା ଦେଇନଥିବା ସୂଚନା ମିଳିଛି। ପିଇବା ପାଣିର ବିଶୋଧନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ୨୮ଲକ୍ଷ ୩୭ ହଜାର ୫୮୮ପ୍ୟାକେଟ୍ ଓଆରଏସ୍ ଓ ୨୩ଲକ୍ଷ ୮୬ହଜାର ୨୬୦ ହାଲୋଜେନ ବଟିକା ବଣ୍ଟନ ହୋଇସାରିଛି। ସହରର ବସ୍ତି ଅଞ୍ଚଳରେ ଥିବା ଖୋଲା ପାନୀୟ ଜଳ ଉତ୍ସଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ଚିକିତ୍ସାଳୟ ପରିସରକୁ ତୁରନ୍ତ ସଫା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି।
ବାତ୍ୟା ପରବର୍ତୀ ସମୟରେ ଡାକ୍ତରଖାନାଗୁଡ଼ିକୁ ଯେଭଳି ନିରବିଚ୍ଛିନ୍ନ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ହୋଇପାରିବ, ତାହା ସୁନିଶ୍ଚିତ କରାଯାଇଛି। ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ କରିବା ପାଇଁ ସ୍ବାସ୍ଥ୍ୟ ଶିକ୍ଷା ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବା ଲାଗି ନିର୍ଦେଶ ଦିଆଯାଇଛି। ବାତ୍ୟା ପରବର୍ତୀ ସ୍ବାସ୍ଥ୍ୟସେବା ନେଇ  ପ୍ରତିଦିନ ବିଭାଗ ପକ୍ଷରୁ ସମୀକ୍ଷା କରାଯାଉଛି।