ଚଳିତବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ହେବ । ଖର୍ଚ୍ଚ ହେବ ୨୩୦୦ କୋଟି ଟଙ୍କା । ରାଜ୍ୟବାସୀଙ୍କୁ ବଡ ଭେଟି ଦେଲେ ନବୀନ ।

518

କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ସେତୁ ନିର୍ମାଣ କରାଯିବ । ଆସ୍କାରେ ଏକ ସେତୁର ଉଦଘାଟନ ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ଭାଙ୍ଗି ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ ।ଏହାଦ୍ୱାରା ସାଢେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଗମନାଗମନରେ ସୁବିଧା ହେବ ।

ଗଞ୍ଜାମ ଜିଲ୍ଲା  ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର ।ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ । ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି।  ସଡକ, ସେତୁ ନିର୍ମାଣରେ ବଡ ପରିବର୍ତ୍ତନ ଆସିଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଉ ଏଥିପାଇଁ ଖର୍ଚ୍ଚ ହେବ ୨୩୦୦ କୋଟି ଟଙ୍କା ।  ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଭିତ୍ତିଭୂମି ଲୋକମାନଙ୍କର ସମ୍ପତ୍ତି । ଲୋକଙ୍କ ଟଙ୍କାରେ, ଲୋକଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଲୋକେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ନବୀନ ।

ଏହାସହ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନବୀନ କହିଛନ୍ତି, ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । କରୋନାର ଦ୍ୱିତୀୟ ଲହରର ଭୟ ରହିଛି । ତେଣୁ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାବାଦ୍ ମାସ୍କ ପିନ୍ଧିବା ଓ ହାତ ଧୋଇବା ଓ ସାମାଜିକ ଦୂରତା ରଖିବାକୁ କହିଛନ୍ତି ନବୀନ ।