ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ୨୦୨୧ରୁ ତିଆରି ହୋଇଥିଲା ବ୍ଲୁପ୍ରିଣ୍ଟ୍ । ୬ଟି ଟିମରେ ବିଭକ୍ତ ହୋଇଥିଲେ ଆତଙ୍କବାଦୀ, ଜାଣନ୍ତୁ ପୂରା ଘଟଣା

139

କନକ ବ୍ୟୁରୋ : ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ୪ ଦିନ ହେଲା ଜାରି ରହିଥିବାବେଳେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗାଜାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ହେଲେ ହମାସ ଦାବି କରିଛି ଯେ, ଶତାଧିକ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ ରଖାଯାଇଛି । ତେଣୁ ହମାସ ବିଦ୍ରୋହୀ ସେନା ଚେତାବନୀ ଦେଇଛି ଯେ, ଇସ୍ରାଏଲ ଗୋଟିଏ ରକେଟ୍ ମାଡ କଲେ ଜଣେ ପଣବନ୍ଦୀଙ୍କୁ ହତ୍ୟା କରାଯିବ । ଆଉ ଏହାରି ଭିତରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।

ବିନା କୌଣସି ଚେତାବନୀରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ହମାସ ୨ବର୍ଷ ତଳୁ ଯୋଜନା ପ୍ରସ୍ତୁତ କରିଥିଲା । ତେଣୁ ଇସ୍ରାଏଲର ସୁରକ୍ଷା କବଚ ଭାଙ୍ଗି ଭିତରକୁ ପ୍ରଭେଶ କରିବା ପାଇଁ ହମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ଆକ୍ରମଣ ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ୬ଟି ମୋର୍ଚ୍ଚାରେ ୧ହଜାର ଲେଖାଅ ପ୍ରଶିକ୍ଷଣ ପ୍ରାପ୍ତ ଲୋକଙ୍କୁ ନିଆଯାଇଥିଲା । ଡ୍ରୋନ୍ ୟୁନିଟକୁ ଆକ୍ଟିଭ୍ କରାଯାଇଥିଲା । ଏହି ୬ଟି ଟିମରେ ବଣ୍ଟାଯାଇଥିବା ସମସ୍ତ ଆତଙ୍କବାଦୀଙ୍କୁ ଗୁପ୍ତ ଟ୍ରେନିଂ ଦିଆଯାଇଥିଲା ।

ଯେତେବେଳେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଅପରେଶନ୍ କରାଯାଇଥିଲା ଏବଂ ୬ହଜାର ଆତଙ୍କୀଙ୍କୁ ନେଇ ୬ଟି ମୋର୍ଚ୍ଚାରେ ବଣ୍ଟାଯାଇଥିଲା । ସେତେବେଳେ ପ୍ରଥମ ମୋର୍ଚ୍ଚା ଇସ୍ରାଏଲ ଉପରେ ଲଗାତାର ୩ହଜାର ରକେଟ୍ ମାଡ କରିଥିଲା । ଆଉ ଅନ୍ୟପଟେ ହ୍ୟାଙ୍ଗ୍ ଗ୍ଲଇଡର ଉଡାଉଥିବା ଦ୍ୱିତୀୟ ମୋର୍ଚ୍ଚା ଇସ୍ରାଏଲ ମଧ୍ୟରେ ପ୍ରବେଶ କଲେ । ସବୁଠୁ ଅସୁରକ୍ଷିତ ଥିବା ସ୍ଥାନକୁ ସୁରକ୍ଷିତ କରିଥିଲା । ତୃତୀୟ ମୋର୍ଚ୍ଚା ମଜବୁତ ଭାବେ ତିଆରି ହୋଇଥିବା ଇଲୋକଟ୍ରୋନିକ୍ ଏବଂ ସିମେଣ୍ଟରେ ତିଆରି ଅଭେଦ୍ୟ ଦୁର୍ଗକୁ ଭେଦ କରିଥିଲା । ଆଉ ଯେତେବେଳେ ଇସ୍ରାଏଲ ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେଲା ସେତେବେଳେ ଆଉ ତିନୋଟି ମୋର୍ଚ୍ଚା ଇସ୍ରାଏଲ ଭିତରକୁ ପଶି ମୃତ୍ୟୁର ତାଣ୍ଡବ ରଚିଥିଲେ । ଆଉ ଏହି ଆକ୍ରମଣ ପାଇଁ ୨୦୨୧ରୁ ଯୋଜନା କରିଆସୁଥିଲା ପାଲେଷ୍ଟାଇନ୍ ।