କନକ ବ୍ୟୁରୋ: ପ୍ରବଳ ଗରମ ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ହଜଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ରୁ ଅଧିକରେ ପହଞ୍ଚିଲାଣି । ଏତେ ସଂଖ୍ୟକ ହଜ ଯାତ୍ରୀଙ୍କ ମୃତ୍ୟୁ ଖବର ପରେ ଭାରତରୁ ହଜ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କ ପରିବାର ଚିନ୍ତା ବଢିଯାଇଛି ।

Advertisment

ଚଳିତବର୍ଷ ଭାରତରୁ ୧ ଲକ୍ଷ ୭୫ ହଜାର ତୀର୍ଥଯାତ୍ରୀ ହଜ ଯାତ୍ରା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ଥିବା ଜଣାପଡିଛି । ସାଉଦି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋମବାର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଗରମ ଯୋଗୁଁ ୨୦୦୦ରୁ ଅଧିକ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛନ୍ତି । ଚଳିତ ବର୍ଷ ହଜରେ ପ୍ରାୟ ୧.୮ମିଲିୟନ ତୀର୍ଥଯାତ୍ରୀ ଭାଗ ନେଇଛନ୍ତି । ଯେଉଁଥିରେ ୧.୬ ମିଲିୟନ ବିଦେଶରୁ ଆସିଥିବା କୁହାଯାଉଛି ।

ସେପଟେ ମୃତ୍ୟୁବରଣ କରିଥିବା ସମସ୍ତ ହଜଯାତ୍ରୀଙ୍କ ମୃତଦେହ କୌଣସି ଦେଶକୁ ପଠାଯିବ ନାହିଁ। ମୃତଦେହକୁ ସାଉଦି ଆରବରେ ହିଁ ସଂସ୍କାର କରାଯିବ । ମକ୍କାର ସବୁଠାରୁ ବଡ ଶବଗୃହ ଅଲ-ମୁଆଇସମରେ ଶବ ଗୁଡିକୁ ରଖାଯାଇଛି । ଚଳିତବର୍ଷ ହଜ ଯାତ୍ରା ୧୪ ଜୁନରୁ ଆରମ୍ଭ ହୋଇ ୧୯ ଜୁନରେ ସରିଛି । ତେବେ ଚଳିତବର୍ଷ ହଜ ଯାତ୍ରା ଜଳବାୟୁ ପରିବର୍ତ୍ତନ କାରଣ ଯୋଗୁଁ ବେଶ୍‌ ପ୍ରଭାବିତ ହୋଇଛି ।