ବାତ୍ୟା ଫୋନି ପାଇଁ ପୁଣି ୧୦୦୦ କୋଟିର ସହାୟତା ରାଶି ଘୋଷଣା କଲେ ମୋଦି । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଲେ ପ୍ରଂଶସା

2,943

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଫୋନିର ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଓଡିଶା ପାଇଁ ୧୦୦୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ସମୀକ୍ଷା ବୈଠକରେ କ୍ଷୟକ୍ଷତିର ଆଲୋଚନା ପରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏପରିକି ଓଡିଶାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ମୋଦି ।

ବାତ୍ୟା ଫୋନି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଗଲା ତାହାକୁ ମଧ୍ୟ ଉଚ୍ଚ ପ୍ରଂଶସା କରିଛନ୍ତି ମୋଦି । ଏହାଛଡା ବାତ୍ୟା ଫୋନି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରହିଛି ବୋଲି ମୋଦି କହିଛନ୍ତି । ଅନ୍ୟପଟେ ମୋଦିଙ୍କ ଘୋଷଣା ଓ ପ୍ରତିଶୃତିକୁ ମଧ୍ୟ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ବାତ୍ୟା ଫୋନି ପାଇଁ ୩୪୧ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଏହା ପୂର୍ବରୁ ବାତ୍ୟା ଫୋନିର ତାଣ୍ଡବ ପରେ ଆଜି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ବିମାନବନ୍ଦରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ବିମାନବନ୍ଦରରେ ସମୀକ୍ଷା ବୈଠକ ଚାଲିବ ।

ଏହି ବୈଠକରେ ଟେଲିକମ୍, ଶକ୍ତି, ସ୍ୱାସ୍ଥ୍ୟ ଓ ରେଳ ବିଭାଗର କେନ୍ଦ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । କେନ୍ଦ୍ରୀୟ ଅଧିକାରୀଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ବୈଠକରେ ବାତ୍ୟା ଫୋନି ପରେ ଯେଉଁ କ୍ଷୟକ୍ଷତି ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

ସମୀକ୍ଷା ବୈଠକରେ ପରେ ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଭୁବନେଶ୍ୱରର ସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବାତ୍ୟାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୋଦି ।

ଆଜି ପାଖାପାଖି ସକାଳ ୮ଟା ୩୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହାପୂର୍ବରୁ ବାତ୍ୟା ଫୋନି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୪୦ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରାଯାଇଥିଲା । କିନ୍ତୁ ଫୋନିର ତାଣ୍ଡବ ଯୋଗୁଁ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।