କନକ ବ୍ୟୁରୋ : ମାର୍ଚ୍ଚ ୨୩, ୧୯୨୧ । ଠିକ୍ ଶହେ ବର୍ଷ ତଳେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ । କଲିକତାରୁ ଆସି କଟକରେ ପହଞ୍ଚିଥିଲେ ମହାତ୍ମା । କଟକର କାଠଯୋଡି କୂଳରେ ଏକ ବିରାଟ ଜନସଭାରେ ସମ୍ବୋଧିତ କରିଥିଲେ ଗାନ୍ଧୀ । କୁଆଡେ ଏହି ଜନସଭା ଏତେ ବିରାଟ ଥିଲା ଯେ ଆଖି ପାଉନଥିଲା । ଶହେ ବର୍ଷ ତଳର ସେହି ଗସ୍ତ ଓଡିଶାରେ ଗଭୀର ପ୍ରଭାବ ପକାଇଥିଲା ।
ମହାତ୍ମା ଗାନ୍ଧୀଙ୍କ ମହାନତାର ଅସଂଖ୍ୟ କାହାଣୀ ଭିତରେ, ଶହେ ବର୍ଷ ତଳର ଏହି ଚିତ୍ର ଦେଶର ସ୍ୱାଧିନତା ଆନ୍ଦୋଳନ ଓ ଓଡ଼ିଶା ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଏଥିରେ ସନ୍ଦେହ ନାହିଁ । ଠିକ୍ ଶହେ ବର୍ଷ ତଳେ ପୂଣ୍ୟଭୂମି ଓଡ଼ିଶାରେ ପଡ଼ିଥିଲା ମହାତ୍ମାଙ୍କ ପାଦ । ମାର୍ଚ୍ଚ ୨୩, ୧୯୨୧ । କଟକ କାଠଯୋଡ଼ି କୂଳରେ ଯେତେବେଳେ ଗାନ୍ଧୀଜୀ ଜନସଭାକୁ ସମ୍ବୋଧିତ କରିଥିଲେ, ଅସହଯୋଗର ବହ୍ନି ଆହୁରି ତୀବ୍ର ହୋଇଉଠିଥିଲା ।
ସେତେବେଳେ ଆଜି ଭଳି ସାଜସଜ୍ଜା ନଥିଲା । ବିଜୁଳି ଆଲୁଅ କିମ୍ବା ବାଇକ୍ ବ୍ୟବସ୍ଥା ନଥିଲା । ନଈପଠାରେ ବଡ଼ ବଡ଼ କାଠ ଖଟ ପକାଇ ଦେଇ ଖଟର ମଝିରେ ପକାଇ ଦିଆଯାଇଥିଲା ଏକ ଚୌକି । ଆଉ ଚୌକିରେ ବସି ଉଦବୋଧନ ରଖିଥିଲେ ମହାତ୍ମାଗାନ୍ଧୀ । ଗାନ୍ଧୀଜୀଙ୍କ ପାଶ୍ୱର୍ ଚୌକିରେ ବସିଥିଲେ କସ୍ତୁରବା ଗାନ୍ଧୀ । ଆଉ ଠିକ୍ ସମ୍ମୁଖରେ ଉପସ୍ଥିତ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ ।
ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ ରକ୍ଷା କରି ଓଡ଼ିଶା ଧାଇଁ ଆସିଥିଲେ ଗାନ୍ଧିଜୀ । ୧୯୨୧ ମାର୍ଚ୍ଚ ୨୩ରୁ ୨୯ । ଗୋଟିଏ ସପ୍ତାହ ଧରି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ଦେଇଥିଲେ । କଟକ, ଭଦ୍ରକ, ପୁରୀ ଏବଂ ବ୍ରହ୍ମପୁର ଗସ୍ତ କରି, ଦେଶର ସ୍ୱାଧିନତା ଓ ସ୍ୱରାଜ ପାଇଁ ବାର୍ତ୍ତା ଦେଇଥିଲେ ମହାତ୍ମା ଗାନ୍ଧୀ ।
ଓଡ଼ିଆଙ୍କ ଭାବାବେଗ ଓ ଓଡ଼ିଶାର ସମସ୍ୟାକୁ ଅତି ନିକଟରୁ ଦେଖିଥିଲେ ମହାତ୍ମା ଗାନ୍ଧୀ । ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବା କଥା ବମ୍ବେ କଂଗ୍ରେସରେ ଉଠାଇଥିଲେ । କେବଳ ସେତିକି ନୁହେଁ, ଆଂଚଳିକ ଭାଷାର ଆବଶ୍ୟକତା, ନିଶାମୁକ୍ତି, ଦାରିଦ୍ର୍ୟ ଦୂରିକରଣ ଭଳି ଯେଉଁ ସବୁ ପ୍ରସଙ୍ଗ ଉଠାଉଥିଲେ ଗାନ୍ଧୀ, ତାକୁ ନେଇ ସଂଘର୍ଷ କରୁଥିଲା ଓଡ଼ିଶା ।
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶହେ ବର୍ଷ ପୁରିଛି । ତେବେ ବିଭିନ୍ନ ସମୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିଲେ ।
ପ୍ରଥମ ଥର- ୧୯୨୧ ମାର୍ଚ୍ଚରୁ ୨୩ରୁ ୨୯: କଟକ, ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଗ୍ରସ୍ତ କରିଥିଲେ
ଦ୍ୱିତୀୟ ଥର- ୧୯୨୫ ଅଗଷ୍ଟ ୧୯ ଓ ୨୦: କଟକ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ
ତୃତୀୟ ଥର - ୧୯୨୭ ଡିସେମ୍ବର ୪ରୁ୨୧: ୧୫ ଦିନିଆ ଗସ୍ତରେ ଆସି ଖଦିର ପ୍ରସାର କରିଥିଲେ
ଚତୁର୍ଥ ଥର - ୧୯୨୮ ଡିସେମ୍ବର ୨୨: ଝାରସୁଗୁଡ଼ା ଓ ସାଲେପୁର ଗ୍ରସ୍ତ କରିଥିଲେ
ପଂଚମ ଥର -୧୯୩୪ ମଇ ୫ରୁ ୧୬: ଝାରସୁଗୁଡ଼ା, ସମ୍ବଲପୁର, କଟକ ଓ ପୁରୀରେ ପଦଯାତ୍ରା କରିଥିଲେ
ଷଷ୍ଠ ଥର - ୧୯୩୪ ମଇ ୨୧ରୁ ଜୁନ୍ ୭: ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପଦଯାତ୍ରା କରିଥିଲେ
ସପ୍ତମ ଥର - ୧୯୩୮ ମାର୍ଚ୍ଚ ୨୫ରୁ ୩୧: ପୁରୀ ଡେଲାଙ୍ଗ ଗ୍ରସ୍ତ କରିଥିଲେ
ଅଷ୍ଟମ ଥର- ୧୯୪୭ ଜାନୁୟାରୀ ୨୦: ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ୱପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ